
କଟକ: ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ମଞ୍ଚରେ ଉପସ୍ଥିତ ରହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂପୁର ସାଂସଦ ବିଭୁ ତରାଇ ଏବଂ ସ୍ଥାନୀୟ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି । କଟକ ବାଦ୍ ୧୨ଟି ଜିଲ୍ଲାରେ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଭିନ୍ନ ମନ୍ତ୍ରୀ । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ।
ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ:
-ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ପ୍ରତିବର୍ଷ ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା।
-ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ କଭରେଜ୍।
-୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟ ବନ୍ଦନା ଯୋଜନା ଅଧୀନରେ ଏକ ପୃଥକ କାର୍ଡ ମିଳିବ।
-ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ, ଯାହା ପୁରୁଷ ଏବଂ ମହିଳା ପରିବାର ସଦସ୍ୟଙ୍କ ପାଇଁ ପୂର୍ବ ପୃଥକ କାର୍ଡ ବ୍ୟବସ୍ଥା ରହିଛି।
-ହିତାଧିକାରୀମାନେ ଏବେ ସାରା ଭାରତରେ ୨୯,୦୦୦ ରୁ ଅଧିକ ସରକାରୀ ଏବଂ ବେସରକାରୀ ତାଲିକାଭୁକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।
ଆୟୁଷ୍ମାନ ଯୋଜନା ପାଇଁ କିପରି ଆବେଦନ କରିବେ?
-ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
-ଏହାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ବ୍ୟାରିଫାଏ କରନ୍ତୁ ।
-ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ ।
-ଏହା ପରେ ଏକ ସ୍ୱତନ୍ତ୍ର ଆୟୁଷ୍ମାନ ଯୋଜନା ID ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ୍ କରନ୍ତୁ ।
ଆୟୁଷ୍ମାନ ଯୋଜନା ଅଧୀନରେ କ’ଣ ରହିଛି ଲାଭ
ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିପାରିବ । ପରିବାର ପିଛା ୫ ଲକ୍ଷ ମାଗଣା ସ୍ୱାସ୍ଥ୍ୟ ବୀମା ସହ ପ୍ରାୟ ୪.୫ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହି ଯୋଜନାରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ସାମିଲ ହେବାକୁ ଯାଉଛି । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା…
-ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର୍ଯ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ ।
-ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ
-ସମସ୍ତ ପ୍ରକାର ସେବା ଯତ୍ନ
-କ୍ଲିନିକାଲ୍ ଏବଂ ଲାବୋରେଟୋରୀ ଇନଭେସ୍ଟିଗେସନ
-ରହିବା ଏବଂ ଖାଦ୍ୟ ସେବା
-ମେଡ଼ିସିନ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ
ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆସୁଥିବା ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଯୋଜନାର ଲାଭ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି । କୌଣସି ବି ସରକାରୀ ହସ୍ପିଟାଲରେ ଭର୍ତ୍ତି ସମୟରେ ଏହି ଯୋଜନା ପ୍ରଥମ ଦିନରୁ ହିଁ ଲାଗୁ ହୋଇଯାଇଥାଏ ଏବଂ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଦିଆଯାଇଥାଏ ।