ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ୧୨୫ତମ ଯୋରନ୍ଦା ମାଘ ମେଳା । ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ଆସିଛନ୍ତି ଲକ୍ଷ ଲକ୍ଷ ସାଧୁ ସନ୍ଥ । ଶୃଙ୍ଖଳିତ ମେଳା ପାଇଁ ଜିଲ୍ଲା ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।
ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନି ଦିନିଆଁ ମେଳାରେ ଭାଗ ନେବାକୁ ଭିଡ ଜମାଇଛନ୍ତି । ଏହି ଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହି ଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ମହିମା ଧର୍ମର ପରମ୍ପରା ମୁତାବକ, ଚଳିତ ବର୍ଷ ସେମାନଙ୍କର ୧୫୨ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।
ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଭାଗର ଅଧିକାରୀ ଓ ମହିମା ସାଧୁଙ୍କୁ ନେଇ ପୂର୍ବରୁ ଦୁଇ ଥର ବୈଠକ ସରିଥିବା ବେଳେ ଗାଦୀ ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି। ଏହି ବ୍ୟାରିକେଟ ଦେଇ ମହିମା ସାଧୂ ଓ ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଯିବେ। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛି ।
ସତ୍ୟମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରି ଶେଷରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ପହଁଞ୍ଚିଥିଲେ । ସେଠାରେ ଥିବା ଶିଷ୍ୟଙ୍କ ମଧ୍ୟରୁ ୮୪ ଜଣଙ୍କୁ କୌପୀନ ଓ ୯୧ ଜଣଙ୍କୁ ବକ୍କଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କରିଥିଲେ । ଶ୍ରୀ ଦିଲ୍ଲୀଶ୍ୱରାବ୍ଦ ୧୨୮୩ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ I ତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଓ ଢେଙ୍କାନାଳ ନରେଶ ଅଲେଖ ମହିମା ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମାପନ କରିଥିଲେ । ସେହି ସମାଧି ମନ୍ଦିର ବା ‘ସ୍ମୃତି ମନ୍ଦିର’ ମହିମାଗାଦି ନାମରେ ପ୍ରସିଦ୍ଧ । ମହିମା ପ୍ରଭୁଙ୍କର ଦେହତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ଏହି ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।