
ଭୁବନେଶ୍ଵର: ଦିନକୁ ଦିନ ବଢୁଛି ଦୁର୍ଘଟଣା । କନ୍ଦଉଛି ରାଜଧାନୀର ବଡ ବଡ ଛକ । ଘଣ୍ଟା ଘଣ୍ଟା ଧରି ଭିଡରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଦିନ ୯ ଟାରୁ ରାସ୍ତାରେ ଯିବା ମୁସ୍କିଲ ହେଇଯାଉଛି । ସନ୍ଧ୍ୟା ହେଲେ ତ କଥା ସରିଲା । ସନ୍ଧ୍ୟା ବେଳର ଭିଡ କଥା ନ କହିବା ହିଁ ଭଲ । ବିଶେଷ କରି ବାଣୀବିହାର ଠାରୁ ଜୟଦେବ ବିହାର ରାସ୍ତା ଆଉ ଜୟଦେବ ବିହାର ଠାରୁ ପଟିଆ ରାସ୍ତା । ଲୋକଙ୍କ ସୁବିଧା ଏବଂ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ହେବାକୁ ଯାଉଛି ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାମ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି ଯେ, ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର ପ୍ରକଳ୍ପକୁ ସରକାରଙ୍କ ଅନୁମତି ମିଳିସାରିଛି । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ନୂତନ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଫଳରେ ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କୁ ତଳକୁ ଓହ୍ଲାଇବାକୁ ସୁବିଧା ହେବ । ଲୋକ ମାନଙ୍କ ସୁବିଧାକୁ ଦୃଷ୍ଟିକୁ ରଖି ଏହି କାମ ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ଅଞ୍ଚଳରେ ଯେଉଁ ରାସ୍ତା ତଳେ ଚାଲିଛି, ତାହା ଚାଲୁ ରହିବ । ଏଥିସହିତ ଏହା ଉପରେ ମଧ୍ୟ ୪ ଲେନର ରାସ୍ତା ନିର୍ମାଣ କରାଯିବ । ଯାହା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ୨୦୨୭-୨୮ ସୁଦ୍ଧା ଏହାର ଶେଷ ହେବା ନେଇ ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ ।