ନୂଆଦିଲ୍ଲୀ: ସଂସଦରେ ରାଗିଗଲେ ଜୟା ବଚ୍ଚନ | ରାଜ୍ୟସଭାରେ ଡେପୁଟି ସ୍ପିକରଙ୍କ ଉପରେ ଖପ୍ପା ହେଲେ | ନିଜ ନାଁ ସହ ଅମିତାଭଙ୍କ ନାଁ ଯୋଡ଼ି ଡାକିବାରୁ ଡେପୁଟି ସ୍ପିକରଙ୍କୁ ବିରୋଧ କଲେ |ହେଲେ କାହିଁକି ? ଜୟାଙ୍କର ଏହି ଭିଡିଓ ଏବେ ଜୋରଦାର ଭାଇରଲ ହୋଇଛି |
ବଲିଉଡ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ ନିଜର ସ୍ପଷ୍ଟ ଜବାବ ପାଇଁ ବେଶ ପରିଚିତ | ଅନେକ ସମୟରେ ତାଙ୍କର ଭିଡିଓ ବେସ ଭାଇରଲ ହୋଇଥାଏ | ଆଜି ବି ସେମିତି ଏକ ଭିଡିଓ ଭାଇରଲ ହୋଇଛି | ଭିଡ଼ିଓଟି ୨୯ ତାରିଖର | ରାଜ୍ୟ ସଭା ମୌସୁମୀ ଅଧିବେଶନରେ ଦିଲ୍ଲୀ IAS କୋଚିଂ ସେଣ୍ଟର ଦୁର୍ଘଟଣା ଉପରେ ଆଲୋଚନା ଚାଲିଥାଏ | ଡେପୁଟି ସ୍ପିକର ହରିବଂଶ ନାରାୟଣ ସିଂ ଗୃହ ପରିଚାଳନା କରୁଥିଲେ | ଏ ସମ୍ପର୍କରେ କହିବା ପାଇଁ ସେ ଜୟାଙ୍କୁ ଶ୍ରୀମତୀ ଜୟା ଅମିତାଭ ବଚ୍ଚନ ବୋଲି ଡାକିଥିଲେ | ଏହାକୁ ନେଇ ରାଗିଗଲେ ଜୟା |
ଛିଡା ହୋଇ ଜୟା କହିଥିଲେ, ଖାଲି ଜୟା ବଚ୍ଚନ ନାଁରେ ଡାକିଲେ ଯଥେଷ୍ଟ ସାର | ମହିଳାଙ୍କୁ ନିଜ ପତିଙ୍କ ନାଁରେ ଡାକିବାର ପରମ୍ପରା କାହିଁକି ? ମହିଳାଙ୍କର ନିଜର ନାଁ, ପରିଚୟ ଅଛି | ସେହି ନାମରେ ସେ ପରିଚିତ ହେବେ | ତାଙ୍କ ନାଁ ସହ ସ୍ୱାମୀଙ୍କ ନାଁ କାହିଁକି ଯୋଡା ହେବ ? ଏମିତି କିଛି କହି ଡେପୁଟି ସ୍ପିକର ହରିବଂଶ ନାରାୟଣ ସିଂଙ୍କ ଉପରେ ବର୍ଷିଥିଲେ ସାଂସଦ |
ଏଥିସହିତ କୋଚିଂ ସେଣ୍ଟର ଦୁର୍ଘଟଣା ନେଇ ଜୋରଦାର ବର୍ଷିଥିଲେ ଜୟା | ପିଲାଙ୍କୁ IAS ଅଫିସର କରିବାପାଇଁ ଲକ୍ଷ ଲକ୍ଷ ତାଙ୍କ ଦେଇ ଦିଲ୍ଲୀ ପଠାଇଥିବା ବାପା-ମା ଶେଷରେ ନିଜ ପିଲାଙ୍କୁ ହରାଇଲେ | ଏବେ ସେମାନଙ୍କ ଅବସ୍ଥା କଣ ହେଉଥିବା ସେ ନେଇ ଚିନ୍ତା ପ୍ରକଟ କରିଥିଲେ ଜୟା |