
ଭୁବନେଶ୍ଵର: ପୁଣି ଇସ୍କନର ମନମାନୀ । ଆସନ୍ତାକାଲି ଲଣ୍ଡନଠାରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ । ୟୁଟ୍ୟୁବର ଗୋବିନ୍ଦ ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା । ଅଦିନରେ ରଥାଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଲେ ଜଗନ୍ନାଥ ପ୍ରେମୀ ।
ଆସନ୍ତାକାଲି ଇଂଲଣ୍ଡର ଚେମ୍ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା । ଇସ୍କନ ତରଫରୁ ଏହି ରଥଯାତ୍ରା ଆୟୋଜନ କରିବାକୁ ହେଉଛି ପ୍ରସ୍ତୁତି । ଆଧ୍ୟାତ୍ମିକ ୟ୍ୟୁଟୁବର ଗୋବିନ୍ଦ କୃଷ୍ଣ ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ସେୟାର କରିଥିବା ଏକ ପୋଷ୍ଟରରେ ଆସନ୍ତାକାଲି ରଥଯାତ୍ରା ଆୟୋଜନ କରିବା ନେଇ ଲେଖା ରହିଛି । ସ୍ୱତନ୍ତ୍ର ଅତିଥି ଭାବେ ଗୋବିନ୍ଦ କୃଷ୍ଣ ଦାସଙ୍କୁ ଦର୍ଶାଯାଇଛି । ତେବେ କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଏହି ପୋଷ୍ଟର ।
ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି l ପୁରୀରେ ମହାପ୍ରଭୁଙ୍କର ପରମ୍ପରା ଅନୁଯାୟୀ ରଥଯାତ୍ରା ହେଉଛି ଏହାକୁ ସମସ୍ତେ ମାନିବା ଆବଶ୍ୟକ l ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ହେଉଛି l ବାରମ୍ବାର ଇସ୍କନ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା କରି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରାଯାଉଛି । ଏପରିକି ଇସ୍କନ ପକ୍ଷରୁ ରଥାରୁଢ଼ ଶ୍ରୀଜିଉଙ୍କର ଭୁଲ୍ ଫଟୋ ବି ଜାରି ହୋଇଛି। ବଳଭଦ୍ରଙ୍କ ତାଳଧ୍ବଜରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କ ଫଟୋ ରହିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।