Site icon UTKAL PRATIDIN

ଭୁଷୁଡୁଛି ବିଜେଡି ଗଡ; ମହାଙ୍ଗା ପଡିବ କି ପଂଚାୟତ ନିର୍ବାଚନ ?

bjd-1

ଭୁବନେଶ୍ୱର: ଭୁଷୁଡୁଛି କି ବିଜେଡି ଗଡ ? ବିଜେପି ଆଡକୁ ମୁହାଁଉଛନ୍ତି କି ବିଜେଡି ନେତା, କର୍ମୀ ? ବିଜେଡି ଉପରୁ ତୁଟୁଛି କି ଭରସା ?  ଏ ପ୍ରଶ୍ନ ଆମେ ପଚାରୁନୁ, ଯାଜପୁର, ଜଗତସିଂହପୁର ଏବଂ ମୟୁରଭଞ୍ଜ ପରି ଅନେକ ଜିଲ୍ଲାର ରାଜନୈତିକ ପାଣିପାଗ ହିଁ ଏକଥା ସ୍ପଷ୍ଟ କରୁଛି |

୨୪ ବର୍ଷର ଶାସନ କ୍ଷମତା ଏବେ ବିଜେଡି ହାତରୁ ଯିବା ପରେ ଆରମ୍ଭ ହୋଇଛି ଗୋଷ୍ଠୀକନ୍ଦଳ | ନିର୍ବାଚନ  ପରେ ପରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ନେଇ କେତେକ ନେତା ନିଜର ଅସନ୍ତୋଷ ଜାହିର କରିଥିବାବେଳେ ଏବେ ଡାନି-ବବି କଳି ବି ଦାଣ୍ଡରେ ପଡି ହାଟରେ ଗଡୁଛି | ଏପରି ସ୍ଥିତି ଦଳରେ ଥିବା ଅନ୍ୟ ଅସନ୍ତୁଷ୍ଟଙ୍କ ପାଇଁ ବୁଷ୍ଟର ହୋଇଛି |

ଗତ ନିର୍ବାଚନ ମୟୁରଭଞ୍ଜ ଜିଲ୍ଲା ପାଇଁ ଥିଲା ଏକ ବଡ଼ ଝଟକା | ଏହି ଜିଲ୍ଳାରୁ ୯ଟି  ଆସନରୁ ବିଜେଡି ପ୍ରାର୍ଥୀ କେହି ବି ଜିତି ନଥିଲେ |  ଏହାକୁ ନେଇ ଦଳରେ କିଛିଟା ଚାପା ଅସନ୍ତୋଷ ଲାଗି ରହିଥିଲା | କିଛି ଅସନ୍ତୁଷ୍ଟ ନେତା ବିଜେପି ମୁହାଁ ହେଉଥିବା  ଚର୍ଚ୍ଚା ହେଉଥିଲା | ମଙ୍ଗଳବାର ଏହି ଅସନ୍ତୋଷ ସାମ୍ନାକୁ ଆସିଛି | ଦଳଡିଆଁଙ୍କୁ ମନାଇବା ପାଇଁ    ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୈଠକ ଡ଼ାକିଥିବା ବେଳେ ଅଧିକାଂଶ ବ୍ଲକ ଅଧ୍ୟକ୍ଷ ଓ ଦଳୀୟ ପ୍ରାର୍ଥୀ ଅନୁପସ୍ଥିତ ଥିଲେ | ବିଜେଡି କବ୍ଜାରେ ଥିବା ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ୧୪ ଜଣ ଅଧ୍ୟକ୍ଷ/ ଅଧ୍ୟକ୍ଷା  ଆସିନଥିଲେ   | ତେଣୁ ବିଜେଡିର ସ୍ଥିତି ଜିଲ୍ଲାରେ କଣ ହେବ ସେ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି |

ଖାଲି ମୟୁରଭଞ୍ଜ ନୁହେଁ, ଯାଜପୁର ଜିଲ୍ଲାରେ ଅଧ୍ୟା ସମାନ ସ୍ଥିତି ଦେଖିବାକୁ ମିଳିଛି | ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ  ୧୩ ସମିତି ସଭ୍ୟ ଓ ୮ ସରପଂଚ ବିଜେଡି ଛାଡି ବିଜେପି ହାତ ଧରିଛନ୍ତି | ଏହାପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପାଇଁ  ସଙ୍କଟ ମାଡି ଆସିଛି |

ଅନ୍ୟପଟେ, ପାରାଦୀପରେ ମଧ୍ୟ ଦଳୀୟ କନ୍ଦଳ ପଦାକୁ ଆସିଛି | ଏଠି  ଦଳ ଦୁଇଭାଗ ହେଵା ସ୍ଥିତିରେ ରହିଛି | କିଛି ଦିନ  ତଳେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ବାପି ସରକେଲ, ମନିଦୀପା ସରକେଲଙ୍କୁ ନେଇ ଏକ ମିଳନ ପର୍ବ ଆୟୋଜିତ ହୋଇଥିଲେ ହେଁ ଆସି ନଥିଲେ ନଗର ସଭାପତି ବସନ୍ତ ବିଶ୍ୱାଳ | ଏପରିକି ଜିଲ୍ଲା ଉପସଭାପତି  ପିତାମ୍ବର ତରାଇ ପୌର ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ବୈଠକରେ ସୂଚନା ଦେଇଛନ୍ତି | ଯଦି ଅନାସ୍ଥା ପ୍ରସ୍ତାବ ଆସେ ତେବେ ତେବେ ପୌରାଧ୍ୟକ୍ଷଙ୍କୁ  ବିଜେପି ସମର୍ଥନ ଦେଇପାରେ | ଏପରି ସ୍ଥିତିରେ ବିଜେଡି ବି ଏଠି ଦୁଇଫାଳ ହେବାର ଆଶଙ୍କା ରହିଛି |

ଯଦି ଏମିତି ଗୋଷ୍ଠୀ କନ୍ଦଳ ବ୍ୟାପି ଚାଲିବ ତେବେ ଆଗାମୀ ପଂଚାୟତ ନିର୍ବାଚନ ବି ଦଳ ପାଇଁ ମହାଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |

Exit mobile version