ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ନାରୀ ନିର୍ଯ୍ୟାତନା, ଶୋଷଣ ଏବଂ ଦୁଷ୍କର୍ମ ଭଳି ଘଟଣା। କେତେବେଳେ ଜଣେ ମହିଳା ନିଜ କାର୍ଯ୍ୟକ୍ଷେତ୍ରରେ ହେଉ ତ ଆଉ କେତେବେଳେ ନିଜ ଶିକ୍ଷାନୁଷ୍ଠାନରେ ହେଉ ଦୁଷ୍କର୍ମର ଶୀକାର ହେଉଛନ୍ତି। ବା ନିର୍ଯ୍ୟାତିତ ହେଉଛନ୍ତି। ହେଲେ ଏବେ ସେମିତି କିଛି ଆଉ ହେବନି ବୋଲି ଆଶା କରାଯାଉଛି। କାରଣ ଏବେ ‘ଲିପଷ୍ଟିକ୍ ଗନ୍’ ମହିଳାମାନଙ୍କୁ ସୁରକ୍ଷା ଦେବ। ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ ସ୍ୱରକୁ ଚିହ୍ନଟ କରି ପୋଲିସ ଏବଂ ପରିବାରକୁ ତୁରନ୍ତ କଲ୍ ଏବଂ ସ୍ଥାନ ପଠାଇପାରିବ। ଏହାକୁ ତିଆରି କରିଛନ୍ତି ୟୁପିର ଦୁଇ ଛାତ୍ରୀ । ଏହି ଛାତ୍ରୀଙ୍କ କୃତୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ରୀଙ୍କ ଏପରି ଉଦ୍ୟମକୁ ଢେର ପ୍ରଶଂସା ବି ମିଳିଛି ।
ମହିଳା ବିରୋଧୀ ହିଂସାକୁ ରୋକିବା ତଥା ସେମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉତ୍ତରପ୍ରଦେଶର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରୀ ଏକ ଅଭିନବ କାର୍ଯ୍ୟ କରିଛନ୍ତି । ସେମାନେ ଏକ ‘ଲିପଷ୍ଟିକ୍ ଗନ୍’ ତିଆରି କରିଛନ୍ତି । ତାହା ଦେଖିବାକୁ ସାଧାରଣ ଲିପଷ୍ଟିକ୍ ଭଳି ହୋଇଥିବାବେଳେ ସେଥିରେ ଏକ ୫ ମିମିର ବ୍ୟାରେଲ୍ ରହିଛି । ସେଥିମଧ୍ୟରେ ନାଲି ଲଙ୍କା ଗୁଣ୍ଡ ବୁଲେଟ୍ ଭଳି ଭର୍ତ୍ତି ହୋଇଛି। କୌଣସି ଅସୁବିଧାଜନକ ପରିସ୍ଥିତିରେ ପୀଡ଼ିତା ଯଦି ଏହି ‘ଲିପଷ୍ଟିକ୍ ଗନ୍’ର ବଟନ୍କୁ ଦବାନ୍ତି ତେବେ ସେଥିରୁ ଲଙ୍କା ଗୁଣ୍ଡ ବୁଲେଟ୍ ବାହାରି ଆତତାୟୀଙ୍କ ଆଖିରେ ଜ୍ୱଳନ ସୃଷ୍ଟି କରିବ । ସେଥିଯୋଗୁ ସାମୟିକ ଭାବେ ସେ କିଛି ଦେଖିପାରିବେ ନାହିଁ । ଏହି ସୁଯୋଗରେ ମହିଳା ଖସି ପଳାଇବାକୁ ସମୟ ପାଇଯିବେ । ସେହିପରି ଗନ୍ରୁ ଫାୟାରିଂ ହେବା ପରେ ତୀବ୍ର ଶବ୍ଦ ଶୁଣି ଆଖପାଖର ଲୋକେ ସତର୍କ ହୋଇଯିବେ ଓ ତାଙ୍କୁ ସହାୟତା ଲାଗି ଆଗେଇ ଆସିବେ ।
ଆବଶ୍ୟକ ସ୍ଥଳେ ସେହି ଗନ୍ରୁ ପୋଲିସ ଓ ପରିବାର ଲୋକଙ୍କୁ ଜରୁରିକାଳୀନ ଫୋନ୍ ସହିତ ଲୋକେସନ୍ ମଧ୍ୟ ପଠାଇବାର ବ୍ୟବସ୍ଥା ରହିଛି । ଏହାର ଦାମ୍ ରହିଛି ୨୦୦୦ ଟଙ୍କା । ‘ଲିପଷ୍ଟିକ୍ ଗନ୍’ ତିଆରି କରିଥିବା ଇସ୍ରତ୍ ଖାନ୍ ଓ ଶ୍ରୀଷ୍ଟି ଶ୍ରୀବାସ୍ତବ ଗୋରଖପୁର ଆଇଟିଏମ୍ ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ । ସେମାନେ କହିଛନ୍ତି, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଘଟଣାକୁ ଦେଖି ସେମାନେ ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି । ଅସୁବିଧା ସମୟରେ ଏହା ଆତ୍ମରକ୍ଷା ଲାଗି ମହିଳାମାନଙ୍କର ଅମୋଘ ଅସ୍ତ୍ର ପାଲଟିବ । ‘ଲିପଷ୍ଟିକ୍ ଗନ୍’କୁ ସ୍ୱତନ୍ତ୍ର କାର୍ବନ ଫାଇବରରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ମାତ୍ର ୫୦ ଗ୍ରାମ । ଏହାକୁ ବନାଇବା ଲାଗି ଭଏସ୍ ମୋଡ୍ୟୁଲ, ୩ ଭୋଲ୍ଟର ବ୍ୟାଟେରୀ, ମେଟାଲ ପାଇପ୍, ବଟନ, ମାଇକ୍ରୋଫୋନ୍ ଆଦିର ବ୍ୟବହାର କରାଯାଇଛି। ଆଇଟିଏମ୍ ଇଞ୍ଜିନିୟରିଂ କଲେଜର ଡିନ୍ ଛାତ୍ରୀଦ୍ୱୟଙ୍କର ଏହି ଉଦ୍ଭାବନକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଅଭିନବ ପ୍ରକଳ୍ପ ମହିଳାମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଏକ ବଡ଼ ପଦକ୍ଷେପ ପାଲଟିବ । ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍ ଓ ସ୍ମାର୍ଟଫୋନ୍ ବଣ୍ଟନ ପରି ‘ଲିପଷ୍ଟିକ୍ ଗନ୍’ ବି ବଣ୍ଟନ କରାଯିବା ଆବଶ୍ୟକ ବୋଲି ଇସ୍ରତ ଓ ଶ୍ରୀଷ୍ଟି ଦାବି କରିଛନ୍ତି ।