
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ଅନୁଷ୍ଠିତ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯିବା ଭାରତ ନିଷ୍ପତ୍ତିରେ ପାକିସ୍ତାନ ଆଗାମୀ ଦିନରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେବ।
ପାକିସ୍ତାନର ଅର୍ଥନୀତିରେ ସିନ୍ଧୁ ନଦୀର ଜଳ ସମ୍ବଳର ବିଶେଷ ଭୂମିକା ରହିଛି । ମୁଖ୍ୟତଃ ପାକିସ୍ତାନର ପଞ୍ଜାବ ଓ ସିନ୍ଧ ଅଞ୍ଚଳ ସିନ୍ଧୁ ନଦୀଦ୍ୱାରା ବିଶେଷ ରୂପେ ଉପକୃତ ହୋଇଥାନ୍ତି । ପଞ୍ଜାବ ଶବ୍ଦର ଅର୍ଥ ହେଲା – “ପାଞ୍ଚ ନଦୀର ଦେଶ” । ଏଠାରେ ପାଞ୍ଚଟି ନଦୀ ହେଲେ ଝେଲମ, ଚେନାବ, ରାୱି, ବେଆସ୍ ଓ ଶତଲେଜ ଯାହା ମିଳିତ ଭାବେ ସିନ୍ଧୁ ନଦୀରେ ନିଷ୍କାସିତ ହୋଇଥାନ୍ତି । ଏତତ୍ ବ୍ୟତୀତ ସିନ୍ଧୁ ନଦୀ ପାକିସ୍ତାନର ବହୁ ଉଦ୍ୟୋଗକୁ ଆବଶ୍ୟକୀୟ ପାଣି ଓ ଅନ୍ୟାନ୍ୟ ସହର ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଇଥାଏ ।
ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍ଗିଟ୍ ସହିତ ମିଳିତ ହୋଇଛି ।
ଶ୍ୟୋକ୍, ଶିଗର୍ ଓ ଗିଲିଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ ।
ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । ମିଠାନକୋଟ ନିକଟରେ ପଞ୍ଜନଦ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ପଞ୍ଜନଦ ସଙ୍ଗମ ପରଠାରୁ ସିନ୍ଧୁ ନଦୀକୁ ଏକଦା ସତନଦ ନଦୀ ବୋଲି ମଧ୍ୟ କୁହାଯାଉଥିଲା (ସିନ୍ଧୁ, ପଞ୍ଜାବର ପାଞ୍ଚ ନଦୀ ଓ କାବୁଲ ନଦୀକୁ ମିଶାଇ ସାତ ନଦୀ) । ଏହା ପରେ ସିନ୍ଧୁ ନଦୀ ଜାମଶୋରୋ ଅତିକ୍ରମ କରି ପାକିସ୍ତାନର ସିନ୍ଧ ଅଞ୍ଚଳର ଥଟ୍ଟାର ଦକ୍ଷିଣକୁ ନିଜର ମୁଖ୍ୟ ତ୍ରିକୋଣଭୂମିରେ ଅନେକ ଶାଖାରେ ବିଖଣ୍ଡିତ ହୋଇଛି ।
ସିନ୍ଧୁ ନଦୀରେ ଜୁଆର ଆସିଲେ ନଦୀ ମୁହାଣରେ ବିପରୀତ ଦିଗରେ ପ୍ରବାହ ଘଟିଥାଏ । ତିବ୍ବତ, ଭାରତ ଓ ପାକିସ୍ତାନରେ ରହିଥିବା ହିମାଳୟ, କାରାକୋରମ ଓ ହିନ୍ଦୁକୁଶର ହିମସ୍ରୋତମାନେ ସିନ୍ଧୁ ନଦୀ ବ୍ୟବସ୍ଥାର ମୁଖ୍ୟ ଉତ୍ସ । ଋତୁଚକ୍ରର ପରିବର୍ତ୍ତନରେ ସିନ୍ଧୁ ନଦୀର ପ୍ରବାହରେ ମଧ୍ୟ ଭିନ୍ନତା ଦେଖାଯାଇଥାଏ । ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ । ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା ।
ବର୍ତ୍ତମାନ ସମୟରେ ବନ୍ୟାଜଳ ଅଧିକ ହେଲେ ହିଁ ସିନ୍ଧୁ ନଦୀର ଏକ ଅଂଶ କଚ୍ଛ ଲବଣ ମରୁକୁ ପ୍ରବାହିତ ହୋଇଥାଏ । ତିବ୍ବତରେ କୈଳାସ ପର୍ବତ ନିକଟବର୍ତ୍ତୀ ସେଙ୍ଗେ ଖବାବ ସ୍ରୋତକୁ ସିନ୍ଧୁ ନଦୀର ଉତ୍ସ ବୋଲି ପୁରୁଣା ବିଶ୍ୱାସ ରହିଛି । ଏହି ନିକଟରେ ଅନେକ ଝରଣା ଓ ସ୍ରୋତ ଏହା ସହ ମିଳିତ ହୋଇଛନ୍ତି । ଯଦିଓ ଏହି ସ୍ରୋତମାନଙ୍କ ମଧ୍ୟରୁ ଅନେକ ସେଙ୍ଗେ ଖବାବ ସ୍ରୋତଠାରୁ ବଡ଼, କିନ୍ତୁ ଏହି ସ୍ରୋତମାନଙ୍କ ପ୍ରବାହ ହାର ବରଫ ପାଣି ତରଳିବା ଉପରେ ନିର୍ଭରଶୀଳ । ସିନ୍ଧୁ ନଦୀ ସହ ସଙ୍ଗମ ପୂର୍ବରୁ ଜାନ୍ସ୍କାର ନଦୀରେ ସିନ୍ଧୁ ନଦୀରୁ ଅଧିକ ପାଣି ପ୍ରବାହିତ ହୋଇଥାଏ ।