Site icon UTKAL PRATIDIN

ଆଜି ଭାରତ ଓ ଅଷ୍ଟ୍ରେଲିଆ ଲଢ଼େଇ: ଶୀର୍ଷରେ ଗଣଉତ୍କଣ୍ଠା

final-forecast1700363061447

ଅହମଦାବାଦ : କ୍ରମାଗତ ୧୦ ପ୍ରାଧାନ୍ୟଭରା ବିଜୟର ଆତ୍ମବିଶ୍ବାସ ସାଙ୍ଗକୁ ୧୪୨ କୋଟି ଭାରତୀୟଙ୍କ ଶ୍ରଦ୍ଧା, ଶୁଭେଚ୍ଛା‌, ଭଲ ପାଇବା ଓ ପ୍ରାର୍ଥନା କ୍ଷେତ୍ର ପ୍ରସ୍ତୁତ କରିସାରିଛି। ୧୨ ବର୍ଷର ବିଶ୍ବକପ୍ ବିହୀନ ଯାତ୍ରା ଏବଂ ୧୦ ବ‌ର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃସ୍ବପ୍ନର ଅନ୍ତ ଘଟାଇବ ବୋଲି ରୋହିତ ଶର୍ମା ସେନାର ଆକାଶଛୁଆଁ ମନୋବଳ ଦୃଢ଼ ବିଶ୍ବାସ ବି ରଖିଛି। ଆଉ ଏକ ଅଗ୍ନି ପରୀକ୍ଷା ତ ଅପେକ୍ଷା କରିଛି, କିନ୍ତୁ ଘରୋଇ ପରିବେଶ ଓ ଦର୍ଶକଙ୍କ ସମ୍ମୁଖରେ ବିଶ୍ବକପ୍ ଟ୍ରଫି ଉଠାଇବାର ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ ଆସି ହାତ ପାହାନ୍ତାରେ ଉପନୀତ ହୋଇଛି। କିନ୍ତୁ ଅଷ୍ଟ୍ରେଲିଆ ଭଳି ଲଢ଼ୁଆ ଚରିତ୍ରର ଦଳଠାରୁ ମିଳିବାକୁ ଥିବା ଆହ୍ବାନକୁ ପରାହତ କରିବାକୁ ପଡ଼ିବ। ୨୦୦୩ ଫାଇନାଲ୍‌ରେ ସୌରଭ ଗାଙ୍ଗୁଲିଙ୍କ ଦଳକୁ ରିକି ପଣ୍ଟିଂଙ୍କ ଦଳ ହରାଇଥିବାରୁ ଠିକ୍ ୨୦ ବ‌ର୍ଷ ପରେ ଏହାର ପ୍ରତିଶୋଧ ପାଇଁ ମଧ୍ୟ ବଡ଼ ମଉକା ଆସିଛି।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଏବେ ଅପେକ୍ଷା କରିଛି ଏଭଳି ଏକ ମହାଲଢ଼େଇ ତଥା କ୍ରିକେଟ୍ ବିଶ୍ବଯୁଦ୍ଧ। ଗୋଳାବାରୁଦର ଲଢ଼େଇ ନୁହେଁ, ଇଏ ହେବେ ବ୍ୟାଟ୍‌ ଓ ବଲ୍‌ର ଘମାଘୋଟ ସଂଘର୍ଷ। କ୍ରିକେଟ୍ ଧର୍ମାବଲମ୍ବୀ ଭାରତୀୟଙ୍କ ହୃଦ୍‌ସ୍ପନ୍ଦନ ବି କ୍ଷଣ କ୍ଷଣକେ ଉପର ତଳ ହେବ ଘଡ଼ିକେ ଘୋଡ଼ା ଛୁଟିବା ଭଳି। ଦେଢ଼ ଲକ୍ଷ ପ୍ରତ୍ୟକ୍ଷ ଦର୍ଶକ ଏବଂ କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କ ସ୍ବପ୍ନକୁ ତୃତୀୟ ଥର ପୂରଣ କରିବାର ଏହା ଆଉ ଏକ ସୁଯୋଗ। ୨ ଥର ବିଜେତା ଭାରତ ଚଳିତ ସଂସ୍କରଣରେ ରେକର୍ଡ ଲଗାତାର ୧୦ ବିଜୟ ସହ ଅପରାଜିତ ରହିଛି। କିନ୍ତୁ ଆଉ ଗୋଟିଏ ବିଜୟ ନମିଳିଲେ ‘ତିନ୍ କା ଡ୍ରିମ୍’ ନିଶ୍ଚିତ ଅଧୁରା ରହିଯିବ। ୧୯୮୩ରେ କପିଳ ଡେଭିଲ୍ସ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ‌ ଧୋନିଙ୍କ ଦଳ ଯେଉଁ ଅସମ୍ଭବକୁ ସମ୍ଭବ କରିଥିଲେ ଏବେ ସେଭଳି ସୁଯୋଗ ପଥରେ ରୋହିତ ସେନା। ବାଘ-କଙ୍ଗ‌ାରୁ ଲଢ଼େଇ କିନ୍ତୁ ନିଶ୍ଚିତ କ୍ରିକେଟ୍‌ପ୍ରେମୀଙ୍କୁ ଏକ ମନୋରଂଜନଭରା, ଉତ୍କଣ୍ଠାପୂର୍ଣ୍ଣ, ରୋମଞ୍ଚକ ଫାଇନାଲ୍ ଦେବ ଏହି ପ୍ରତିଶ୍ରୁତି ରଖିଛି।

ଦେଢ଼ ମାସ ଧରି ଚାଲିଥିବା ଦିନିକିଆ କ୍ରିକେଟ୍‌ର ଏହି ତ୍ରୟୋଦଶ ସଂସ୍କରଣର ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଉପରେ ବି ବିଶ୍ବବାସୀଙ୍କ ନଜର ରହିଛି। ସଂଯୋଗବଶତଃ ଭାରତ ନିଜ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲା ଏବଂ ୧୯୯ ରନ୍‌ରେ ରୋକି ସହଜ ବିଜୟ ହାସଲ କରିଥିଲା। ଭାରତ କିନ୍ତୁ ଏକ ନକ୍ ଆଉଟ୍ ମ୍ୟାଚ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ ୩୯୭/୪ କରି ଅଷ୍ଟ୍ରେଲିଆକୁ ପୁଣି ଏକ ଚେତାବନୀ ଦେଇଛି। ରୋହିତ ଶର୍ମାଙ୍କ ବିଧ୍ବଂସୀ ଶୁଭ‌ାରମ୍ଭ, ଯୁବ ତାରକା ଶୁବମନ ଗିଲ୍‌ଙ୍କ ଶାନ୍ତିର ପାଳି, ବିରାଟ କୋହଲିଙ୍କ ପାଳି ଗଢ଼ିବା ଦାୟିତ୍ବ, ଶ୍ରେୟସ ଆୟରଙ୍କ ବିସ୍ଫୋରକ ରୂପ, କେଏଲ୍ ରାହୁଲଙ୍କ ସୁନ୍ଦର କ୍ରିକେଟିଂ ସଟ୍‌, ସୂର୍ଯ୍ୟକୁମାର ଯାଦବଙ୍କ ତେଜ ଭାରତକୁ ଏକ ବ୍ୟାଟିଂ ଶକ୍ତି ଓ ସାମର୍ଥ୍ୟ ଭାବେ ଉଭା କରାଇଛି। ସୁଲତାନ୍ ଅଫ୍ ସୁଇଙ୍ଗ ଭାବେ ଉଭା ହୋଇଥିବା ମହମ୍ମଦ ସାମିଙ୍କ ନେତୃତ୍ବରେ ବୁମ୍ ବୁମ୍ ଯଶପ୍ରୀତ୍ ବୁମରା ଓ ମିଆଁ ସାହାବ୍ ମହମ୍ମଦ ସିରାଜଙ୍କ ଘାତକ ଯୋଡ଼ି ମଧ୍ୟ ଭାରତର ବୋଲିଂ ବାହିନୀକୁ ପ୍ରତିଦ୍ବନ୍ଦ୍ବୀ ପାଇଁ ବିପଦର ଘଣ୍ଟି ବଜାଇ ସାରିଛି।

ବିରାଟ କୋହଲି ୭୧୧ ରନ୍‌ ଏବଂ ମହମ୍ମଦ ସାମି ୨୩ ୱିକେଟ୍ ସହ ଯଥକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି। ସ୍ପିନ୍ ବିଭାଗରେ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ପ୍ରଭ‌ାବୀ ପ୍ରଦର୍ଶନ ରୋହିତ ଶର୍ମାଙ୍କୁ ବଡ଼ ଆଶ୍ବସ୍ତିରେ ରଖିଛି। ଅଷ୍ଟ୍ରେଲିଆା କିନ୍ତୁ ଦଳଗତ ପ୍ରଦର୍ଶନ ଭିତ୍ତିରେ ଆଗକୁ ଆସିଛି।
ପିଚ୍‌ ଓ ପରିବେଶ: ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ପିଚ୍‌ ସର୍ବଦା ବ୍ୟାଟିଂ ପ୍ରଧାନ୍ୟ ପିଚ୍‌ ଥିବାବେଳେ ଫାଇନାଲ୍ ମ୍ୟାଚ୍‌ ମଧ୍ୟ ସେଭଳି ରହିବ ବୋଲି ବିଶ୍ବାସ। ତଥାପି ଉଭୟ ପାଳିରେ ପ୍ରଥମ ୧୦ ଓଭରରେ ଦ୍ରୁତ ବୋଲରଙ୍କୁ ବାଉଁସ ମିଳିବ। ପାକିସ୍ତାନ ନିଜର ଶେଷ ୭ ୱିକେଟ୍‌ ୩୬ ରନ୍‌ରେ ହରାଇ ଅବଶ୍ୟ ଭାରତକୁ ଫାଇଦା ସମର୍ପି ଦେଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ଏଠାରେ ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡକୁ ୩୩ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌ରେ କାକର ମଧ୍ୟ ଅନ୍ୟତମ ଭୂମିକା ବହନ କରିବ। ଯାହାଫଳରେ ସନ୍ଧ୍ୟା ବେଳେ ବୋଲିଂ କରୁଥିବା ଦଳ ଅଧିକ ପ୍ରଭାବିତ ହେବ। ଅହମଦାବାଦ ଆକାଶ ରବିବାର ଭଲ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷାର ପୂର୍ବାନୁମାନ ନାହିଁ। କିନ୍ତୁ ଫାଇନାଲ୍ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ଥିବାରୁ ଆବଶ୍ୟକ ସ୍ଥଳେ ମ୍ୟାଚ୍‌ ସୋମବାରକୁ ସଂପ୍ରସାରିତ ହୋଇପାରିବ।

ମୁହାଁମୁହିଁ: ଦିନିକିଆ ବିଶ୍ବକପ୍‌ ଇତିହାସରେ ଭାରତ ଓ ଅଷ୍ଟ୍ରେଲିଆ ମୋଟ ୧୩ ଥର ମୁକାବିଲା କରିଛନ୍ତି। ଭାରତ ୫-୮ରେ ପଛୁଆ ରହିଛି। ସର୍ବୋଚ୍ଚ ଦଳଗତ ସ୍କୋର୍‌ରେ ଅଷ୍ଟ୍ରେଲିଆ ମଧ୍ୟ ୩୫୯-୩୫୨ରେ ଆଗୁଆ ରହିଛି। ସର୍ବନିମ୍ନ ସ୍କୋର୍‌ରେ ମଧ୍ୟ ଭାରତ ୧୨୫-୧୨୮ରେ ପଛୁଆ ରହିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱି‌ିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ। ସଂରକ୍ଷିତ ଖେଳାଳି: ଆର୍ ଅଶ୍ବିନ, ‌ଈଶାନ କିଶନ, ପ୍ରସିଦ୍ଧ କୃଷ୍ଣ, ଶାର୍ଦୁଳ ଠାକୁର।
ଅଷ୍ଟ୍ରେଲିଆ ଦଳ: ଟ୍ରାଭିସ୍ ହେଡ୍‌, ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଜୋସ୍ ଇଙ୍ଗଲିସ୍‌ (ୱିକେଟରକ୍ଷକ), ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ୍ ହାଜେଲଉଡ୍‌। ସଂରକ୍ଷିତ ଖେଳାଳି: ମାର୍କସ ଷ୍ଟୋଇନିସ, ସିନ୍ ଆବୋଟ୍‌, ଆଲେକ୍ସ କ୍ୟାରି, କାମେରନ୍ ଗ୍ରିନ୍‌।

Exit mobile version