Site icon UTKAL PRATIDIN

ସୁଇଚ୍ ଟିପିଲେ ହେବ ବର୍ଷା !

2eb1f968701984c3715c5bfe24c57102

ଆବଶ୍ୟକ ବେଳେ ବର୍ଷା କରାଇବେ ବୈଜ୍ଞାନିକ । ସୁଇଚ ଟିପିଲେ ଆକାଶରୁ ଖସିବ ବର୍ଷ। ପାଣି । ଆଉ ମରୁଡିରେ ନଷ୍ଟ ହେବନି ଫସଲ । ପ୍ରୋଜେକ୍ଟ ‘ମିଶନ ମୌସମ’ କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି ।

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକିବା କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ ।

ସେ କହିଛନ୍ତି, “କୃତ୍ରିମ ବୃଷ୍ଟିପାତ ହ୍ରାସ ଏବଂ ବୃଦ୍ଧି ପାଇଁ ଆମେ ପ୍ରାରମ୍ଭିକ ପରୀକ୍ଷା କରିବାକୁ ଚାହୁଁଛୁ । ଲ୍ୟାବ୍ ସିମୁଲେସନ୍ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ କରାଯିବ । କିନ୍ତୁ କୃତ୍ରିମ ପାଣିପାଗ ପରିବର୍ତ୍ତନ ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ। ‘ମିଶନ ମୌସମ’ ଅଧୀନରେ ବୈଜ୍ଞାନିକମାନେ ମଧ୍ୟ ଦେଶର ପାଣିପାଗ ପୂର୍ବାନୁମାନ ପ୍ରଣାଳୀରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବେ, ଯାହା ଦ୍ୱାରା ସ୍ୱଳ୍ପ ଏବଂ ମଧ୍ୟମ ବୃଷ୍ଟିପାତ ବାବଦରେ ପୂର୍ବାନୁମାନ ଆହୁରି ସଠିକ୍ ହୋଇପାରିବ।

ଏହା ବ୍ୟତୀତ ଭାରତର ପାଣିପାଗ ବିଭାଗ (IMD) ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ବିଜ୍ଞାନ ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ‘ମୌସମ ଜିପିଟି’ ଏକ chatGPT ପରି ଆପ୍ଲିକେସନ ମଧ୍ୟ ଲଞ୍ଚ୍ କରିବାକୁ ଯୋଜନା ରଖାଯାଇଛି।

ଏହା ମାଧ୍ୟମରେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ପାଣିପାଗ ସମ୍ବନ୍ଧରେ ସୂଚନା ଆହୁରି ସହଜରେ ମିଳିପାରିବ। ଏହି ସୂଚନା ଉଭୟ ଲିଖିତ ଏବଂ ଅଡିଓ ଫର୍ମାଟରେ ଉପଲବ୍ଧ ହେବ । ଏହି ମିଶନ ପାଇଁ ସରକାର ୨ ହଜାର କୋଟି ଟଙ୍କା ଅର୍ଥ ମଂଜୁର ହୋଇ ଥିବାବେଳେ ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ପାଣ୍ଠି ଦିଆଯିବ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ କହିଛନ୍ତି ।

ତେବେ ଏୟାରକ୍ରାଫ୍ଟ ବ୍ୟବହାର କରି କ୍ଲାଉଡ୍ ସିଡିଂ ମାଧ୍ୟମରେ ବୃଷ୍ଟିପାତକୁ ରୋକିବା ଏବଂ ବଢ଼ାଇବାର ଏହି ଟେକ୍ନୋଲୋଜି ଆମେରିକା, କାନାଡ଼ା, ଚୀନ୍, ରୁଷ ଏବଂ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶରେ ସୀମିତ ଉପାୟରେ ବ୍ୟବହୃତ ହେଉଛି। ଆମ ଦେଶରେ ଏହା ଆଗାମୀ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।

Exit mobile version