ପାକିସ୍ତାନ ଠାରୁ ଐତିହାସିକ ବିଜୟ ପରେ ଏସିଆ କପ୍ ସୁପର୍-୪ରେ ପୁଣି ଭାରତର ଦମଦାର ପ୍ରଦର୍ଶନ l ଶ୍ରୀଲଙ୍କା ବିପକ୍ଷରେ କମ ସ୍କୋର କରିବା ସତ୍ତ୍ୱେ ବି ଭାରତୀୟ ବୋଲରଙ୍କ କମାଲ ସିଂହଳୀ ଦଳକୁ ୪୧ ରନରେ ପରାସ୍ତ କରିବାକୁ ସକ୍ଷମ ହୋଇଛି । ଏହି ବିଜୟ ସହ ଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ ।
ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଶ୍ରୀଲଙ୍କା ଆଗରେ ୨୧୪ ରନର ଟାର୍ଗେଟ ରଖିଥିଲା l ଏହି ଟାର୍ଗେଟର ପିଛା କରି ବିଜୟ ହାସଲ କରିବା ଲକ୍ଷରେ ପଡିଆକୁ ଓଲ୍ହାଇଥିଲେ ଶ୍ରୀଲଙ୍କା ଖେଳାଳି l ମାତ୍ର ୧୭୨ ରନ କରି ଆଲ ଆଉଟ ହୋଇଥିଲା ଶ୍ରୀଲଙ୍କା ଦଳ ।

ଟିମ ଇଣ୍ଡିଆର ୨୧୪ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭହୋଇଥିଲା l ମାତ୍ର ୨୫ ରନରେ ୩ଟି ୱିକେଟ ହରାଇ ଥିଲା ଶ୍ରୀଲଙ୍କା l ଏହା ପରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରି ମଧ୍ୟ ୧୦୦ ରନ ଭିତରେ ୬ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସିଂହଳୀ ଦଳ ।
ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ । ଦମଦାର ଅର୍ଦ୍ଧଶତକ ସହ ଷଷ୍ଠ ଭାରତୀୟ ବ୍ୟାଟସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ନିଜର ୧୦ ହଜାର ରନ୍ ପୂରଣ କରିଛନ୍ତି ରୋହିତ ଶର୍ମା । କେ ଏଲ ରାହୁଲ ୩୯ ଏବଂ ଇଶାନ କିଶନ ୩୩ କରିଥଲେ। ତେବେ ବିରାଟ୍ କୋହଲି ମାତ୍ର ୩ ରନରେ ପାଭିଲିଆନ ଫେରିଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲେ ।
ଅନ୍ୟପଟେ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିବା ଟିମ ଇଣ୍ଡିଆ ଆଜି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଜି ଏସିଆ କପ ସୁପର ୪ ମୁକାବିଲାରେ ଭାରତ ଭଲ ଆରମ୍ଭ କରିଥିଲେ ହେଁ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୧୩ ରନ କରିଥିଲା । ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବା ପାଇଁ ୨୧୪ ରନର ଟାର୍ଗେଟ ମିଳିଥିଲା ।
ପ୍ରଥମେ ୪୭ ଓଭରରେ ଭାରତର ସ୍କୋର ୧୯୭/୯ ଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଭାରତ ପୁଣି ବ୍ୟାଟିଂ କରିଥିଲା । ବାକି ୩ ଓଭରରେ ଅକ୍ଷର ପଟେଲ ଓ ମହମ୍ମଦ ସିରାଜ କିଛି ରନ କରିବାରୁ ଦଳୀୟ ସ୍କୋର ୨୧୦ ରନ ପାର କରିବାକୁ ସକ୍ଷମ ହୋଇଥିଲେ ।
ତେବେ ଗତକାଲିର ମ୍ୟାଚ୍ରେ ଶ୍ରୀଲଙ୍କାର ଦୁଇ ସ୍ପିନର ଦୁନିଥ ୱେଲାଲାଗେ ଓ ଚରିତା ଅସଲଙ୍କା ଭାରତୀୟ ବ୍ୟାଟରଙ୍କୁ ନାକେଦମ କରିପକାଇଥିଲେ । ଉଭୟ ମିଳିତ ଭାବେ ଭାରତର ସମସ୍ତ ୯ ୱିକେଟ ଦଖଲ କରିଥିଲେ । ପ୍ରଥମେ ୱେଲାଲେଗା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଶେଷ ଭାଗରେ ୪ ୱିକେଟ ଦଖଲ କରିଥିଲେ । ସେହିପରି ମହୀଶ ତିକଶାନା ଗୋଟିଏ ୱିକେଟ ନେଇଥିଲେ ।