Site icon UTKAL PRATIDIN

ନାଗରିକଙ୍କ ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କଲା ଭାରତ

4

ନୂଆଦିଲ୍ଲୀ: ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଜୋରଦାର ଚାଲିଛି ଯୁଦ୍ଧ। ଏହାକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ବଢାଇଲା ଭାରତ।

ଯେଉଁ ସ୍ଥାନରେ ଇସ୍ରାଏଲ ନାଗରିକଙ୍କ ଅଧିକ ଗତିବିଧି ଅଛି ସେଠାରେ ସୁରକ୍ଷା ବାହିନୀକୁ ନିଯୁକ୍ତ କରାଯାଇଛି। ଅକ୍ଟୋବରରେ ଜିହୁଦୀ ପର୍ବ ଯୋଗୁଁ ସତର୍କ ସୂଚନା ଦିଆଯାଇଛି। ଏଗୁଡ଼ିକୁ ଦୃଷ୍ଟିରେ ରଖି ସୁରକ୍ଷା ଯୋଗାଇବାର ଆବଶ୍ୟକତା ରହିଛି ବୋଲି ଭାରତ କହିଛି। କେତେକ ତାଲିକାଭୁକ୍ତ ସ୍ଥାନଗୁଡ଼ିକର ସୁରକ୍ଷାକୁ ମଜବୁତ କରିବାକୁ ଭାରତ ପକ୍ଷରୁ କୁହାଯାଇଛି। କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସତର୍କ ରହିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଇସ୍ରାଏଲ ମିଶନ, କୂଟନୀତିଜ୍ଞ, ଅଧିକାରୀ, କର୍ମଚାରୀ, ବ୍ୟବସାୟ ପ୍ରତିଷ୍ଠାନ, ଜିହୁଦୀ ସମ୍ପ୍ରଦାୟ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ସମସ୍ତ ଆବଶ୍ୟକୀୟ ଆଇନ ପ୍ରଣୟନକାରୀ ସଂସ୍ଥାକୁ ବିଭିନ୍ନ ଇସ୍ରାଏଲ ପର୍ଯ୍ୟଟନ ସ୍ଥଳୀ, ଇସ୍ରାଏଲ ପ୍ରତିନିଧୀ ଦଳ, କୋଶର ରେଷ୍ଟୁରାଣ୍ଟ, ସଂଗ୍ରହାଳୟ, ବିଦ୍ୟାଳୟ, ରିସର୍ଟ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି। ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

Exit mobile version