Site icon UTKAL PRATIDIN

ଆଜିଠୁ ଭାରତ-ଆୟର୍ଲାଣ୍ଡ୍‌ ଶୃଙ୍ଖଳା: ନଜରରେ ବୁମରା

download (14)

ଡବ୍‌ଲିନ୍‌: ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଶୁକ୍ରବାରଠାରୁ ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଦୀର୍ଘ ୧୧ ମାସ ଧରି ପଡ଼ିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ବ ‌ନେଇ ଫେରିବାକୁ ଯାଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ନିବଦ୍ଧ ରହିଛି। ଦିନିକିଆ ବିଶ୍ବକପ୍‌ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟ୍‌ନେସ୍‌ ଓ ଲୟର ବଡ଼ ପରୀକ୍ଷା ‌ନେବ। ଆଇପିଏଲ୍‌ ପ୍ରଦର୍ଶନ ପରେ ଏହି ପରବର୍ତୀ ପିଢ଼ିର କ୍ରିକେଟ୍‌ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ଜିତେଶ ଶର୍ମା। ବୁମରାଙ୍କ ରଣ କୌଶଳ ଓ ନେତୃତ୍ବ ମଧ୍ୟ କିଭଳି ରହୁଛି ତାହା ଅନ୍ୟତମ ଆଲୋଚନା ପରିସରଭୁକ୍ତ ରହିଛି। ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ ଫେରିଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଆହତ ହୋଇ କ୍ରିକେଟ୍‌ଠାରୁ ଦୂରେଇ ରହିଥିଲେ। ୫ ଦିନ ଭିତରେ ଭାରତ ଏହି ୩ ମ୍ୟାଚ୍ ଶୃଙ୍ଖଳା ଖେଳିବାର ଥିବାରୁ ବୁମରା ଏହି ସମୟ ମଧ୍ୟରେ ସର୍ବାଧିକ ୧୨ ଓଭର ବୋଲିଂ କରିପାରିବେ। ବୁମରାଙ୍କ ଫିଟ୍‌ନେସ୍‌କୁ ପରଖିବାକୁ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଦିନିକିଆ ଦଳ ଅଧିନାୟକ ରୋହିତ ଶର୍ମା ଚାତକ ଭଳି ଅପେକ୍ଷା କରିଛନ୍ତି।

ଅବଶ୍ୟ ବୁମରାଙ୍କ ପାଇଁ ଏହା ପ୍ରତ୍ୟାବର୍ତନର ଠିକଣା ଶୃଙ୍ଖଳା ନୁହେଁ। ଏସିଆ କପ୍‌ ଆରମ୍ଭ ପୂର୍ବରୁ ସେ ନିଜକୁ କେତେ ପ୍ରସ୍ତୁତ କରିପାରିଛନ୍ତି ତାହା ମଧ୍ୟ ଆକଳନ କରିହେବ। କାରଣ ଏସିଆ କପ୍ ଏବଂ ବିଶ୍ବକପ୍ ସମାନ ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତର ମୁଖ୍ୟ ବୋଲିଂ ଅସ୍ତ୍ର ଭାବେ ବୁମରାଙ୍କ ସେବା ଆବଶ୍ୟକ କରୁଛି ଭାରତ। ସଂଜୁ ସାମସନ କିନ୍ତୁ ଦଳରୁ ତାଙ୍କ ସ୍ଥାନ ହରାଇବା ସ୍ଥିତିରେ ପହଞ୍ଚିଛନ୍ତି। ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କୁ ସେଭଳି କିଛି ନିର୍ଦେଶ ମିଳିନଥିଲେ ସେ ନିଶ୍ଚିତ ଏହି କେରଳ ୱିକେଟରକ୍ଷକ ବ୍ୟାଟରଙ୍କୁ ସୁଯୋଗ ଦେବା ସମ୍ଭାବନା କ୍ଷୀଣ। ଜିତେଶ ଶର୍ମା, ରିଙ୍କୁ ସିଂହଙ୍କ ଭଳି ଶିବମ ଦୁବେଙ୍କ ସଟ୍‌ ଦେଖିବାକୁ ଆଶା ରଖିବେ ପ୍ରଶଂସକ। ବୁମରାଙ୍କ ଭଳି ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି।

Exit mobile version