ନୂଆଦିଲ୍ଲୀ: ରାଗିଗଲେ ରେଳମନ୍ତ୍ରୀ | ବିରୋଧୀଙ୍କୁ ଦେଲେ କଡା ଜବାବ| କହିଲେ, ଆମେ ଖାଲି ରିଲ କରିବା ଲୋକ ନୁହଁ, ଆମେ କାମ କରିବା ଲୋକ | ଆଜି ସଂସଦରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକଦମ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଥିଲା |
ଟ୍ରେନ ଦୁର୍ଘଟଣାକୁ ନେଇ ସଂସଦରେ ଆଜି ଜୋରଦାର ହାଙ୍ଗମା କରିଥିଲେ ବିରୋଧୀ | ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ନାରାବାଜି ଦେଇଥିଲେ | ବିଭାଗୀୟ ମନ୍ତ୍ରୀଂକୁ ଟାର୍ଗେଟ କରି କହିଥିଲେ ରେଳ ମନ୍ତ୍ରୀ ନୁହନ୍ତି, ରିଲ ମନ୍ତ୍ରୀ | ବିରୋଧୀଙ୍କ ଏପରି କଥାଶୁଣି ରାଗି ଯାଇଥିଲେ ଅଶ୍ୱିନୀ ବୈଷ୍ଣବ |
ମନ୍ତ୍ରୀ କହିଥିଲେ, ଯେଉଁମାନେ ଏଠି ପାଟି କରୁଛନ୍ତି, ସେମାନେ ୫୮ ବର୍ଷ ଧରି କ୍ଷମତାରେ ରହିଲେ | କିନ୍ତୁ ଗୋଟିଏ କିଲୋମିଟର ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ କାହିଁକି ଲଗାଇ ପାରିଲେନି |
ମନ୍ତ୍ରୀ କହୁଥିବା ସମୟରେ ବିରୋଧୀ ନାରାବାଜି କରିବାରୁ ରାଗି ଯାଇଥିଲେ ମନ୍ତ୍ରୀ | ବିରୋଧୀଙ୍କ ଉପରେ ଚିଡିଯାଇ ବସିବାକୁ କହିଥିଲେ | ବିରୋଧୀଙ୍କୁ କହିଥିଲେ, ଚୁପ..ଆପଣମାନେ ବସନ୍ତୁ | ଏପରିକି ଅଧ୍ୟକ୍ଷଙ୍କୁ ଇସାରା କରି କହିଥିଲେ, ୟେ କଣ ସାର ? ମଝିରେ ଯାହା ଇଛା ତାହା କହି ଯାଉଛନ୍ତି ?
ରେଳ ମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିଲେ, ଦୁର୍ଘଟଣା ହାର ୦.୨୪ରୁ କମି ୦.୧୯ ହୋଇଥିଲା | ସେତେବେଳେ ଏମାନେ ସଦନରେ ତାଳି ବଜାଇଥିଲେ | ଆଉ ଆଜି ଦୁର୍ଘଟଣା ହାର ୦.୧୯ ରୁ ହ୍ରାସ ପାଇଁ ୦.୦୩କୁ ଖସିବା ପରେ ବି ଏମାନେ ଦୋଷ ଦେଉଛନ୍ତି |
ଦେଶରେ ପ୍ରତିଦିନ ୨ କୋଟି ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି | ବିରୋଧୀ ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି | ଏମିତିରେ ଦେଶ ଚାଲି ପାରିବନି |
ରେଳ ଦୁର୍ଘଟଣାକୁ ନେଇ ଆଜି ଗୃହ ବେଶ ସରଗରମ ଥିଲା |