Site icon UTKAL PRATIDIN

ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

WhatsApp-Image-2024-04-08-at-6.01.31-PM-750x430-1

ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି । ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଭାରତୀୟ ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ ସ୍ୱଚ୍ଛ, ମୁକ୍ତ ଓ ଅବାଧ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନେଇ ଅନୁଷ୍ଠିତ ହୋଇଥିବା ‘ଇଲେକ୍‌ସନ୍‌ ଏକ୍ସପେଣ୍ଡିଚର୍‌ ମନିଟରିଂ ବୈଠକରେ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ପାଇଁ ନିୟୋଜିତ ହୋଇଥିବା ‘ସ୍ପେସାଲ୍‌ ଏକ୍ସପେଣ୍ଡିଚର ଅବଜର୍‌ଭର୍‌(ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ) ହିମାଳିନୀ କଶ୍ୟପ ଏହିଭଳି ମତ ରଖିଛନ୍ତି ।

ଇଲେକ୍‌ସନ୍‌ ଏକ୍ସପେଣ୍ଡିଚର ମନିଟରିଂ ବୈଠକର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ବୈଠକରେ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ଧନବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକି୍ରୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ଶ୍ରୀ ଧଳ ଆଲୋଚନା କରିଥିଲେ  ।

ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବା ହିମାଳିନୀ କଶ୍ୟପ ନିଜର ସମ୍ବୋଧନରେ ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ  । ଏହି ଆଲୋଚନା ସମୟରେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ରାଜ୍ୟର ପ୍ରତିଟି ଜିଲ୍ଲାରେ ସମ୍ଭାବ୍ୟ ଅନୈତିକ ଅର୍ଥ, ମାଦକ ଦ୍ରବ୍ୟ ଓ ଉପହାର ସାମଗ୍ରୀ ବିଷୟରେ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମତ ପଚାରି ବୁଝିଥିଲେ । ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ବିଷୟରେ ମଧ୍ୟ ସବିଶେଷ ଆଲୋଚନା ଏବଂ ଯୋଜନା ହୋଇଥିଲା । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସେ ସମସ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକ ଶେଷରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version