
78 ତମ ସ୍ବାଧୀନତା ଦିବସ ପାଳିବ ଭାରତ । ଜାତୀୟ ପର୍ବ ‘ସ୍ବାଧୀନତା ଦିବସ‘ ।‘ ଅଗଷ୍ଟ ୧୫ତାରିଖରେ ସାରା ଦେଶ ସମେତ ଓଡ଼ିଶାରେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବ। ତେବେ ଏହି ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି । ତେଣୁ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଆସିଛି ।
ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ଆଲେଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୁଲିସ ବାହିନୀର କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ।
ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ସେହିପରି ଜିଲ୍ଲାସ୍ତରରେ ମନ୍ତ୍ରୀ ଓ ଜିଲ୍ଲାପାଳମାନେ ତ୍ରିରଙ୍ଗା ଉଡ଼ାଇବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯଥାକ୍ରମେ ନୂଆପଡ଼ା ଓ କଟକରେ ତ୍ରିରଙ୍ଗା ଉଡ଼ାଇବେ। ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।