
ଭୁବନେଶ୍ଵର: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଆଉ ମାତ୍ର ଗୋଟିଏ ଦିନ ପରେ ପୁରା ଦେଶ ପାଳିବ ହୋଲି ପର୍ବ । ଏହି ପର୍ବକୁ ମନାଇବା ପାଇଁ ଚାରିଆଡେ ଉତ୍ସାହର ମାହୋଲ । ରଙ୍ଗ ଦୋକାନ ଗୁଡିକରେ ଜମୁଛି ଲୋକଙ୍କ ଗହଳି । ତେବେ ହୋଲିରେ ପ୍ରାୟତଃ ସମସ୍ତେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ତେଣୁ ସମସ୍ତଙ୍କ ଘରେ ସର୍ବତ ସାଙ୍ଗକୁ ମିଠା ମଧ୍ୟ ତିଆରି କରାଯାଏ । ରଙ୍ଗ ଲଗାଇ ହୋଲି ଖେଳିବା ସହ ମିଠାର ମଜା ଉଠାଇଥାନ୍ତି ସମସ୍ତେ । ତେବେ ଚଳିତ ବର୍ଷ ହୋଲିରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଭିନ୍ନ ପ୍ରକାରର ମିଠା ଖୁଆଇବାକୁ ଚାହୁଁଛନ୍ତି କି ? ତେବେ ବଜାରରେ ମିଠା କିଣିବା ପରିବର୍ତ୍ତେ ଘରେ ବନାନ୍ତୁ ସୁସ୍ଵାଦୁ ରସମଲେଇ । ସେ ବି ପୁଣି ଅରୁଆ ଚାଉଳରେ । ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ …
ଆବଶ୍ୟକ ସାମଗ୍ରୀ:
ଅରୁଆ ଚାଉଳ, କ୍ଷୀର, ଚିନି, କଷ୍ଟାଡ୍ ପାଉଡର, ଆଲ୍ମଣ୍ଡ୍।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଅରୁଆ ଚାଉଳ ନେଇ ଭାତ କରି ଦିଅନ୍ତୁ। ତା’ପରେ ଏ ଭାତକୁ ବାଟି ଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିଲା ଭିତରେ ଏକ ଛୋଟ ପାତ୍ରରେ ଅଳ୍ପ କଷ୍ଟାଡ୍ ପାଉଡରକୁ ପାଣିରେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ। କ୍ଷୀର ଫୁଟି ଆସିଲେ ଏଥିରେ ଏହି ଘୋଳ ପକାଇ ଲଗାତାର ଭାବେ ଗୋଳାନ୍ତୁ। କ୍ଷୀର ଭଲ ଭାବେ ଫୁଟି ଗଲେ ଏଥିରେ ଚିନି ପକାନ୍ତୁ। କ୍ଷୀର ଫୁଟି ଟିକେ ବହଳିଆ ହୋଇଆସିଲେ ଏଥିରେ ବଟା ଯାଇଥିବା ଅରୁଆ ଭାତକୁ ଛୋଟ ଛୋଟ ଗୁଳା ପରି କରି ଏଥିରେ ପକାଇ ଦିଅନ୍ତୁ। ଧ୍ୟାନ ଦେବେ କ୍ଷୀର ଯେମିତି ପାତ୍ରରେ ନ ଲାଗିବ। ଏଥିପାଇଁ ଏହାକୁ ବାରମ୍ବାର ଚଲାଉ ଥା’ନ୍ତୁ। ଭାତ ଗୁଳା ପକାଇ ସାରିବା ପରେ କ୍ଷୀରକୁ ଆଉ ୧୦ ମିନିଟ ଫୁଟାନ୍ତୁ। ତା’ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଚାଉଳ ରସମଲେଇ’। ଥଣ୍ଡା ହୋଇଗଲା ପରେ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ୧ ଘଣ୍ଟା ପରେ କାଢ଼ି ଏହା ଉପରେ କଟା ଆଲ୍ମଣ୍ଡ୍ ପକାଇ ସଜାଇ ଦିଅନ୍ତୁ। ରଙ୍ଗର ଉତ୍ସବ ହୋଲିରେ ଏହି ନିଆରା ମିଠା ତିଆରି କରି ନିଜେ ଖା’ନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ।