ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । କିମ୍ବଦନ୍ତୀ କହେ ଦ୍ୱାପର ଯୁଗରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ମଧ୍ୟରାତ୍ରୀରେ ଧରାବତରଣ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଦୁଷ୍ଟ ଶକ୍ତିର ବିନାଶ ଓ ମାନବ ଲୀଳାସହ ସମସ୍ତ ପ୍ରକାର କଳୁଷ ନାଶ କରିବାପାଇଁ ତାଙ୍କର ଜନ୍ମ ହୋଇଥିଲା l କହିବାକୁ ଗଲେ କୃଷ୍ଣଙ୍କ ଜନ୍ମ ସ୍ଥାନ ତ ହେଉଛି ମଥୁରା ନଗରୀ l କିନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ଥିଠିରେ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥାଏ l ପରମ୍ପରା ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ଆଜି ସବୁଆଡେ ସବୁ ସ୍ଥାନରେ ପାଳନ ହେଉଛି ଉତ୍ସବ। କେବଳ ମଥୁରା ଆଉ ପୁରୀ ନୁହେଁ ଦେଶର ବିଭିନ୍ନ ଧର୍ମପୀଠରେ ଏହି ଦିନଟିକୁ ବେଶ ଉତ୍ସାହର ସହିତ ପାଳନ କରାଯାଇଥାଏ ।
ପାପୀ କଂସର ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ବ୍ରହ୍ମାଙ୍କ ସହ ଦେବତାମାନଙ୍କ କଥାରେ ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଇଠୁ ଆରମ୍ଭ ହେଲା କୃଷ୍ଣଙ୍କ ଲୀଳା । କୃଷ୍ଣଙ୍କ ଆଦେଶରେ ବିଜୁଳି କନ୍ୟାକୁ ବନ୍ଦୀଶାଳାକୁ ଆଣି ବଦଳରେ ଗୋପପୁରରେ ନନ୍ଦରାଜାଙ୍କ ଘରେ ବିଜେ କଲେ । ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ । ବନ୍ଦିଶାଳା ଆଲୋକରେ ଝଲସିଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲି ଯାଇଥିଲା । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁଅକୁ ନେଇ ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ।
ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ ପରଂବ୍ରହ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ପରିକଳ୍ପନା କରାଯାଏ । ଆଉ ଏଇଥିପାଇଁ ଆୟୋଜିତ ହୁଏ ସ୍ଵତନ୍ତ୍ର ବନ୍ଦାପନାଟିଏ। ଯାହାକୁ କୁହାଯାଏ ଗର୍ଭଉଦକ ବନ୍ଦାପନା । ଶ୍ରୀ ଜଗନ୍ନାଥଙ୍କ ଗର୍ଭରେ ସ୍ଵୟଂ କୃଷ୍ଣଚନ୍ଦ୍ର ଉଦୟ ହୋଇଥିବାରୁ ଏହି ଅତିରିକ୍ତ ବନ୍ଦାପନା କରାଯାଏ । ଆଉ ଏତିକି ବେଳେ କାଳିଆ ଠାକୁରଙ୍କ ପାଖରେ ଲାଗିହୁଏ ଜେଉଟ ଭୋଗ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ସେ ଅବତାରୀ ,ସମସ୍ତ ଅବତାର ତାଙ୍କଠାରୁ ହିଁ ସୃଷ୍ଟି ହୋଇ ସମସ୍ତ ଲୀଳା ସମାହିତ କରି ପୁଣି ମହାପ୍ରଭୁଙ୍କ ନିକଟରେ ଲୀନ ହୋଇଥାନ୍ତି । ଯାହା ଆମ ଭାଗବତର ଆଧାର ।
ଭାରତରେ ଅନେକ ପାର୍ବପର୍ବାଣି ଅନେକ ପ୍ରକାର ନିଆରା ଢଙ୍ଗରେ ପାଳନ କରାଯାଏ l ସେହିପରି ଏହି ଜନ୍ମାଷ୍ଟମୀର କୃଷ୍ଣଙ୍କ ଜନ୍ମ ଭାରତର ଏକ ନିଆରା ପର୍ବ । ଏଥିରେ ଗୋଟିଏ ଆକର୍ଷଣୀୟ ରୀତି ହେଉଛି ଦହି ହାଣ୍ଡି ଭଙ୍ଗା । ଗୋପାଳମାନେ ଜଣକ ଉପରେ ଜଣେ ଚଢି ପିରାମିଡ ହୋଇ ବୋହୁ ଉଚ୍ଚରେ ଥିବା ଦହି ହାଣ୍ଡି ଭାଙ୍ଗନ୍ତି । ତେବେ ବିଶ୍ୱାସ ରହିଛି, ଏହି ଦିନ ବ୍ରତ ଉପବାସ କରି ଶ୍ରଦ୍ଧାରେ ଭଗବାନଙ୍କୁ ସୁମରିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗାଁ ଠୁ ଆରମ୍ଭ କରି ସହର ଯାଏଁ ସମସ୍ତେ ଆଜି ଖୁବ ଖୁସି ଓ ଆନନ୍ଦ ସହକାରେ ଜନ୍ମାଷ୍ଟମୀ ପାଳନ କରୁଛନ୍ତି l