
ଭୁବନେଶ୍ଵର: ଏ ଦୁନିଆ ହେଉଛି ଅତି ବିଚିତ୍ର । ଏଠାରେ ଘଟୁଥିବା ଅନେକ କଥା ଆମକୁ ଜଣାନଥାଏ । ବେଳେ ବେଳେ ଆମେ ଘଟଣା ପାଖରେ ଥାଇ ବି ଜାଣି ପାରୁନା ଯେ କଣ ଘଟୁଛି ଓ କିଏ ଘଟାଉଛି । ଈଶ୍ୱର ଏ ଜୀବ ଜଗତର ପ୍ରାଣୀମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ତିଆରି କରିଛନ୍ତି । ସମସ୍ତଙ୍କ ଜୀବନ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଏଭଳି କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ତାକୁ ବୁଝିବା ସବୁଠାରୁ ବୁଦ୍ଧିମାନ ଜୀବ ମଣିଷ ପକ୍ଷେ ମଧ୍ୟ ସମ୍ଭବ ହୋଇନାହିଁ । ଆଜି ଆମେ ଏକ ଏଭଳି ଜୀବ ବିଷୟରେ କହିବାକୁ ଯାଉଛୁ ଯିଏ ବିନା ମୁଣ୍ଡରେ ୯ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ ।
ଆଜ୍ଞା ହଁ ଏଭଳି ଏକ ଜୀବ ହେଉଛି ଅସରପା । ଯାହାର ମୁଣ୍ଡ କଟିଯିବା ପରେ ମଧ୍ୟ ସେ ୯ ଦିନ ଧରି ବଞ୍ଚି ରହି ପାରିବ । କାରଣ ଅସରପା ତାର ମୁହଁ ବାଟେ ନିଶ୍ୱାସ ପ୍ରଶ୍ୱାସ ନିଏ ନାହିଁ । ତା ଶରୀରରେ ଥିବା ବିଭିନ୍ନ ଗାତ ଦେଇ ନିଶ୍ୱାସ ନିଏ । ତେବେ କିଛି ଦିନ ପରେ ସେ ମରିଯିବାର କାରଣ ହେଉଛି ସେ ପାଣି ପିଇ ପାରେ ନାହିଁ । କାରଣ ଅସରପା ମୁହଁ ବାଟେ ସିନା ନିଶ୍ୱାସ ନିଏ ନାହିଁ କିନ୍ତୁ ମୁହଁରେ ପାଣି ପିଏ ।
ଅସରପା ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ବନ୍ଦ କରି ରହି ପାରେ । ତେଣୁ ପ୍ରାୟ ସେତିକି ସମୟ ପର୍ଯ୍ୟନ୍ତ ସେ ପାଣିରେ ମଧ୍ୟ ବୁଡ଼ି ପାରିବାର କ୍ଷମତା ରଖିଛି । ଘଣ୍ଟାକୁ ତିନି କିଲୋମିଟର ବେଗରେ ଯାଉଥିବା ଅସରପା ଶୂନ ଡିଗ୍ରୀ ତାପମାତ୍ରାରେ ବି ବଞ୍ଚି ରହିପାରେ । ଏକଥା ବୈଜ୍ଞାନିକମାନେ ଗବେଷଣା ପରେ ପ୍ରମାଣ କରିଛନ୍ତି । ଆହୁରି ମଧ୍ୟ କୁହାଯାଏ, ପରମାଣୁ ବୋମା ବିସ୍ଫୋରଣରେ ମଣିଷ ସିନା ମରିଯାଏ ହେଲେ ଅସରପା ମରେ ନାହିଁ । ଗୋଟିଏ ମଣିଷ ଦେହରେ ରେଡିଏସନ୍ ପ୍ରତିରୋଧ କ୍ଷମତା ୮୦୦ ଆରଇଏମ୍ଏସ୍ ଥିବା ବେଳେ ଅସରପାର କ୍ଷମତା ୧୦,୫୦୦ ଆରଇଏମ୍ଏସ୍ ଥାଏ ।
ଅସରପା ଠାରେ ଆଉ ଏକ ବିଚିତ୍ର କଥା ଦେଖିବାକୁ ମିଳେ। ଏମାନଙ୍କ ଗୋଡ଼ ଭାଙ୍ଗି ଗଲେ ସେଠାରେ ପୁଣି ନୂଆ ଗୋଡ଼ ଜନ୍ମ ନେଇଥାଏ । ତେବେ ଏମାନେ ରହୁଥିବା ଜାଗାରେ ପ୍ରାୟ ୩୩ ପ୍ରକାରର ଜୀବାଣୁ ରହିଥାନ୍ତି । ଯାହାଫଳରେ ପିଲାଙ୍କ ଆଲର୍ଜି ଠାରୁ ଆରମ୍ଭ କରି ଶ୍ୱାସ ଆଦି ଭଳି ବିଭିନ୍ନ ପ୍ରକାର ରୋଗ ଦେଖାଦିଏ । ତଳେ ଚାଲିବା, ପାଣିରେ ପହଁରିବା ସହ ଏହା ନିଜର ପକ୍ଷୀ ଦ୍ୱାରା କିଛି ବାଟ ଉଡ଼ି ପାରେ । ଏହି ଜୀବ ଆଲକାହଲ୍ ପ୍ରତି ଆକର୍ଷିତ ହୋଇଥାଏ ।