ଢାକା:ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ହିଂସା ବଢ଼ିବାରେ ଲାଗିଛି | ସାରା ରାଜ୍ୟରେ ପୋଡା ଜଳା, ଭଙ୍ଗାରୁଜା ଚାଲିଥିବା ଦେଖିବାକୁ ମିଳୁଛି | ଆନ୍ଦୋଳନକାରୀମାନେ ବିଭିନ୍ନ ଲୋକଙ୍କ ଘରେ ପଶି ପୋଡାଜଳା କରିଛନ୍ତି | ଗତକାଲି ଗଣଭବନରେ ପଶି ଭଙ୍ଗାରୁଜା କରିଥିଲେ |
ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପାର୍ଲାମେଣ୍ଟ ଭଙ୍ଗ ଘୋଷଣା କରିଛନ୍ତି । ତିନି ସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଏପରି ନିଷ୍ପତ୍ତି ନେଇଥିଲେ।
ଅନ୍ୟପକ୍ଷେ ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫ ମୁର୍ତଜାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ସେହିପରି, ଗତକାଲି ଶେଖ ହସିନାଙ୍କ ଦଳର ଜଣେ ନେତାଙ୍କ ହୋଟେଲରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୮ ଜଣ ଜୀବନ୍ତ ଜଳି ଯାଇଥିବା ଜଣାଯାଇଛି | ୮୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । କୁହାଯାଉଛି, ଜେସୋରସ୍ଥିତ ଏହି ହୋଟେଲରେ ଅଧିକାଂଶ ଛାତ୍ର ଥିଲେ | ମୃତାହତଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି | ଏହି ହୋଟେଲଟି ଆୱାମୀ ଲିଗ୍ ନେତା ଶାହୀନ ଚକଲାଦାରଙ୍କର ବୋଲି ଜଣାଯାଇଛି। ଢ଼ାକାରେ ବାଂଲାଦେଶର ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍ପାଟ କରିଛନ୍ତି। ଏପରିକି ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସରକାରୀ ବାସଭବନକୁ ମଧ୍ୟ ଜାଳି ଦେଇଛନ୍ତି। ଶେରପୁରରେ ଏକ ଜେଲରେ ଚଢ଼ାଉ କରି ୫୦୦ ବନ୍ଦୀଙ୍କୁ ମୁକ୍ତି ଦେଇଛନ୍ତି ଆନ୍ଦୋଳନକାରୀ |
ସାରା ଦେଶରେ ଏବେ ଅରାଜକତା ଦେଖିବାକୁ ମିଳିଛି | ଚାରିଆଡେ ସେନା ପଇଁତରା ମାରୁଛନ୍ତି | ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସିନି | କାରଣ ବକ୍ଷୋଭକାରୀଙ୍କ ତୁଳନାରେ ସେନା ସଂଖ୍ୟା କମ ଥିବାରୁ ପରିସ୍ଥିକୁ ସମ୍ଭାଳିବା କାଠିକର ପାଠ ହୋଇଯାଇଛି |

