ଭୁବନେଶ୍ଵର: ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଯଦି ଅନୁଧ୍ୟାନ କରିବା ତେବେ ପୁଣ୍ୟଧାମ ଶ୍ର୍ରୀକ୍ଷେତ୍ର ଠାରୁ ଯଦି କୌଣସି ପୁରାତନ ପବିତ୍ର ଧାମିର୍କ ପୀଠସ୍ଥଳ ରହିଛି ତେବେ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି ।
ପୌରାଣିକ କଥା ଅନୁସାରେ ଶକ୍ତିପିଠ ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ କ୍ଷେତ୍ରରେ ସ୍ରୁଷ୍ଟିକର୍ତ୍ତା ବ୍ରହ୍ମଦେବ ଦଶାଶ୍ୱମେଧ ଯଜ୍ଞର ଆୟୋଜନ କରୁଥିଲେ। ଯଜ୍ଞରେ ମା ଗଙ୍ଗାଙ୍କ ଆବଶ୍ୟକ ହେତୁ ବ୍ରହ୍ମଦେବ ମାତାଙ୍କୁ ସ୍ମରଣ କଲେ। ଗଙ୍ଗାମାତା ରଜସ୍ଵଳା କାରଣରୁ ତାଙ୍କ ଭଗିନୀ ବୈତରଣୀଙ୍କୁ ଆବାହନ କରିବାକୁ ଅନୁରୋଧ କରିଥିଲେ। ବ୍ରହ୍ମାଙ୍କ ଆବାହନ କ୍ରମେ ବୈତରଣୀ ଗୋନାସିକା ପର୍ବତରୁ ଆବିର୍ଭାବ ହେଲେ।
ବୈତରଣୀ ଆବିର୍ଭାବ ହେବା ସମୟରେ ସେଠାକାର ଉପସ୍ଥିତ କିଛି ଜୁଆଙ୍ଗ ସଭ୍ୟତାର ଲୋକମାନେ ତାଙ୍କୁ ଦେଖିବାକୁ ପାଇଥିଲେ, ହଠାତ୍ କେଉଁ କାରଣରୁ ପର୍ବତକୁ ଚିରି ଜଳର ଆବିର୍ଭାବ ହେବାର କାରଣ ନଜାଣିପାରି ପାଖରେ ଥିବା ଏକ ମୃତ ଗାଈର ମସ୍ତକକୁ ଜଳ ନିର୍ଗତପଥ ସମ୍ମୁଖରେ ସ୍ଥାପନ କରିଦେଲେ । ମୃତ ଧେନୁର ମସ୍ତକ ର ସ୍ପର୍ଶରେ ଦେବୀ ବୈତରଣୀ ଅପବିତ୍ର ହୋଇଗଲେ।
ବ୍ରହ୍ମଦେବ ପୁଣି ଥରେ ମାଆ ବୈତରଣୀକୁ ଆବାହନ କଲେ ଅପବିତ୍ର ହୋଇଯିବା କାରଣରୁ ଦେବୀ ବୈତରଣୀ ସେହି ସ୍ଥାନରୁ ପ୍ରବାହିତ ହେଉନଥିବା ଜାଣି ବ୍ରହ୍ମା ଶଙ୍କର ଙ୍କୁ ସ୍ମରଣ କଲେ। ଏବଂ ଗୋନାସିକା ପର୍ବତରେ ଶିବଙ୍କର ଲିଙ୍ଗ ସ୍ଥାପନ କରି ପ୍ରତିଷ୍ଠା କଲେ। ବ୍ରହ୍ମଦେବଙ୍କ ସ୍ଥାପନ କାରଣରୁ ସେ ସ୍ଥାନରେ ଶିବ ବ୍ରହ୍ମେଶ୍ବର ନାମରେ ପୂଜା ପାଇଲେ। ପର୍ବତରୁ କିଛି ଦୂର ପରେ ବୈତରଣୀର ଆବିର୍ଭାବ କାରଣରୁ ବୈତରଣୀ ନଦୀକୁ ଗୁପ୍ତ ଗଙ୍ଗା ବା ଓଡ଼ିଶାର ଗୁପ୍ତ ଗଙ୍ଗା କୁହାଯାଏ ।