Site icon UTKAL PRATIDIN

ଆଜିଠୁ ସକାଳୁଆ ସ୍କୁଲ, ୪ ଘଣ୍ଟା ହେବ ପାଠପଢା

1200-675-23783955-thumbnail-16x9-school

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଏପ୍ରିଲ୍‌ ୨ରୁ ରାଜ୍ୟରେ ସ୍କୁଲ ସକାଳୁଆ ହେବ ବୋଲି ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ହେଲେ ଗତକାଲି ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏଥିସହ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଖରା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଭାଗ ପକ୍ଷରୁ କିଛି ନିୟମାବଳୀ ମଧ୍ୟ ଜାରି କରାଯାଇଛି। ଯେପରିକି, ସବୁ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ହେବ। ସ୍କୁଲ ପରିସରରେ ଥିବା ପାଇପ୍‌ରେ ପାଣି ଆସୁଥିବ।

ସେହିପରି ସ୍କୁଲରେ ଓଆରଏସ୍‌ ପ୍ୟାକେଟ୍‌ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏହା ମିଳିବା ଦରକାର। ଖରା ସମୟରେ ସ୍କୁଲ ବାହାରେ କୌଣସି ଖେଳକୁଦ କିମ୍ବା ଅନ୍ୟାନ୍ୟ କାମ କରିବାକୁ ମନା କରାଯାଇଛି। ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋତଲ ନେଇ ଯିବେ, ଏହା ସେମାନଙ୍କ ଅଭିଭାବକଙ୍କ ଦାୟିତ୍ୱ ରହିବ।

Exit mobile version