ଭୁବନେଶ୍ଵର: ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ। କିନ୍ତୁ ମାଠିଆ ପାଣି ଶରୀର ପାଇଁ ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ମାଠିଆ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ହୋଇଥିବାରୁ ଏହି ପାଣି ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ତେବେ ମାଠିଆ ପାଣି ପିଇବାର ଅନେକ ଲାଭ ବିଷୟରେ ଆସନ୍ତୁ ଜାଣିବା ।
ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ । ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ । କ୍ଳାନ୍ତିରୁ ମଧ୍ୟ ଏହି ପାଣି ଉପଶମ ଦିଏ । ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ । ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ । ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍ ଉପକାରୀ ।
ଯଦି ଆପଣଙ୍କର ଆଜମା ଜନିତ ସମସ୍ୟା ରହିଛି ତେବେ ମାଠିଆ ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରୁଖନ୍ତୁ । ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ । କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି । ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ ।