ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଆଜିକୁ ଠିକ ୭୭ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତେବେ ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହେଉଛି । ୭୭ ବର୍ଷ ହେବା ନେଇ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । ରାଜଧାନୀ ନାମ ଫଳକରେ ମାଲ୍ୟାର୍ପଣ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ପରେଡ୍ କରାଯାଇଛି । ସାରା ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୟଦେବ ଭବନରେ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ ହୋଇଛି । ଏହାସହ ରାଜଧାନୀର ସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା କରାଯିବ । ସଂଧ୍ୟାରେ ଉତ୍କଳ ମଣ୍ଡପରେ ବିଶେଷ କାର୍ଯ୍ୟକ୍ରମରେ ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ନାନ ୨୦୨୫ ପ୍ରଦାନ କରାଯିବ ।
ସୂଚନା ଯେ, ୭୪ ବର୍ଷ ତଳେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରଣ କରାଯାଇଥିଲା । ବିଭିନ୍ନ ଅଟ୍ଟାଳିକା ଏବଂ ରାସ୍ତାର ଶିଳାନ୍ୟାସ କରାଯାଇ ଏକ ସବୁଜିମା ଭୁବନେଶ୍ୱରକୁ ବର୍ତ୍ତମାନ ସ୍ମାର୍ଟ ସିଟିରେ ପରିଣତ କରାଯାଇଛି । ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି ମନ୍ଦିରମାଳିନୀ ସହରର ସ୍ବତନ୍ତ୍ର ପରିଚୟ। ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା କରାଯିବା ସହ ୧୯୪୮ ଏପ୍ରିଲ ୧୩ରେ ଏଥିପାଇଁ ଶିଳାନ୍ୟାସ କରାଗଲା।
୧୯୫୨ ଅକ୍ଟୋବର ପହିଲାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୯୭୯ରେ ମ୍ୟୁନିସିପାଲିଟି ଓ ୧୯୯୪ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମାନ୍ୟତା ପାଇଲା। ଏହା ପୂର୍ବରୁ ଅର୍ଥାତ୍ ୧୯୮୩ ଏପ୍ରିଲ ୧ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗଠନ ହେବା ପରେ ସହର ବିକାଶର ମୂଳଦୁଆ ପଡିଥିଲା। ରାଜଧାନୀ ଭୁବନେଶ୍ୱର ଏହି ୭୭ ବର୍ଷ ଭିତରେ ନେଇଛି ବିଶାଳ ନଗରୀର ରୂପ । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ୱର ଏବଂ ସ୍ମାର୍ଟ ସିଟି । ଦେଶର ସ୍ପୋର୍ଟସ୍ ହବ ସହ ପୂର୍ବ ଭାରତର ଶିକ୍ଷା କେନ୍ଦ୍ର ପାଲଟିଛି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବର ଚାରିପଟକୁ ବଢିବାରେ ଲାଗିଛି । ଚେହେରା ବଦଳିଛି, ନୂଆ ପରିଚୟ ମିଳିଛି ।