ନୂଆଦିଲ୍ଲୀ: ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ସରିବ ଜ୍ଞାନେଶଙ୍କ କାର୍ଯ୍ୟକାଳ । ତେବେ ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ଆଜି ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାର କାର୍ଯ୍ୟଭାର ସମ୍ଭାଳିଛନ୍ତି।
ଦାୟିତ୍ବ ନେବା ପରେ ଜ୍ଞାନେଶ କୁମାର କହିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ । ୧୮ ବର୍ଷରୁ ଅଧିକ ଭାରତର ସମସ୍ତ ନାଗରିକ ଭୋଟ୍ ଦେବା ଆବଶ୍ୟକ । ତେବେ ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ୨୬ ଜାନୁଆରୀ ୨୦୨୯ ପର୍ୟ୍ୟନ୍ତ ସେ ଦାୟିତ୍ବରେ ରହିବେ । ଏହି ସମୟରେ ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ରହିଛି ।
ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ପରିଚାଳନା ସମେତ ୨୦୨୨ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ୨୦୨୪ର ଲୋକ ସଭା ନିର୍ବାଚନ ଓ ରାଜ୍ୟ ସଭା ନିର୍ବାଚନ ପରିଚାଳନା କରିଥିଲେ।