Site icon UTKAL PRATIDIN

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

CEC-2

ନୂଆଦିଲ୍ଲୀ: ଜ୍ଞାନେଶ କୁମାର ଦେଶର ନୁଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ । ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ ଜ୍ଞାନେଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେବେ । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଯିଏ କି ନିର୍ବାଚନ କମିଶନର ନିଯୁକ୍ତି ନେଇ ନୂଆ ଆଇନ ଅନୁଯାୟୀ ନିଯୁକ୍ତ ହୋଇଛନ୍ତି। ଏହି ଆଇନ ଅନୁଯାୟୀ, ପ୍ରଧାନ ବିଚାରପତିଙ୍କ ସ୍ଥାନରେ ନିର୍ବାଚନ ସଂସ୍ଥାର ମୁଖ୍ୟ ଚୟନ ପାଇଁ ଗଠିତ କମିଟିରେ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଜ୍ଞାନେଶ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଜ୍ଞାନେଶ କୁମାର ଅମିତ ଶାହଙ୍କ ଅଧୀନରେ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। କୁମାର ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ସମୟରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୯ରେ ଯେତେବେଳେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରାଗଲା, ସେତେବେଳେ ସେ ଗୃହ ମନ୍ତ୍ରାଳୟର ଜମ୍ମୁ-କାଶ୍ମୀର ଡେସ୍କ ଦାୟିତ୍ୱରେ ଥିଲେ। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ରେ ଶେଷ ହେବ।

Exit mobile version