
ପାରାଦୀପ: ପାରାଦୀପରେ ତିନୋଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ଲିମିଟେଡର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା । ଏହା ମାଧ୍ୟମରେ ପ୍ରାୟ ୩୦ ହଜାର ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ ।
ଏଥି ସହିତ ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନାର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧.୨୦ MPTA ଗ୍ରୀନ ଆମୋନିଆ କାରଖାନା, ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ୨୫ ହଜାର MPTA ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ । ଓଡିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା । ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶସ୍ଥଳୀ ହୋଇପାରିଛି । ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି ।
ଖୁସିର କଥା ଆଜି ଏଠାରେ JSW ର ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା । ଏଥି ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି । ତା ସହିତ ଏସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଏସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ ।