Site icon UTKAL PRATIDIN

ବଢ଼ିଲା ଥଣ୍ଡା; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

55

ନୂଆଦିଲ୍ଲୀ: କେଦାରନାଥ ଧାମରେ ଋତୁର ପ୍ରଥମ ତୁଷାରପାତ ହୋଇଛି। ଏଥିଯୋଗୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନୂଆ ଜୋଶ୍‌ ଏବଂ ଉତ୍ସାହ ଦେଖିବାକୁ ମିଳିଛି। ନବରାତ୍ରିର ପ୍ରଥମ ଦିନ ରବିବାର ପ୍ରବଳ ବର୍ଷା ପରେ କେଦାରନାଥ ପରିସରରେ ତୁଷାରପାତ ହୋଇଥିଲା, ଯାହାଫଳରେ ଏବେ ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଏହି ତୁଷାରପାତ ଯୋଗୁ ସମଗ୍ର କେଦାରନାଥ ଘାଟି ଧଳା ଚାଦରରେ ଘୋଡ଼େଇ ହେଲା ପରି ନଜର ଆସିଛି।

ସେପଟେ ବଦ୍ରିନାଥ ଧାମ ଶିଖରରେ ମଧ୍ୟ ତୁଷାରପାତ ହେବାର ଖବର ରହିଛି। ଏହି କାରଣରୁ ନିମ୍ନ ଅଞ୍ଚଳରେ ବର୍ଷା ଏବଂ କୁଆପଥର ବର୍ଷା ହେତୁ ପାଗ ସମ୍ପୂର୍ଣ୍ଣ ଥଣ୍ଡା ଲାଗିବା ଆରମ୍ଭ ହୋଇଛି। ରବିବାର କେଦାରନାଥ ଧାମରେ ପ୍ରବଳ ତୁଷାରପାତ ହୋଇଥିଲା, ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତୁଷାରପାତ ମଧ୍ୟରେ ଶ୍ରଦ୍ଧାଳୁମାନେ ପୂରା ଉତ୍ସାହର ସହ ମନ୍ଦିର ଦର୍ଶନ କରିଥିଲେ। ବଦ୍ରିନାଥ ଶିଖରରେ ପ୍ରବଳ ତୁଷାରପାତ ଯୋଗୁ ଥଣ୍ଡା ବଢ଼ିଯାଇଛି। ସମଗ୍ର ଚମୋଲି ଜିଲ୍ଲାରେ ଥଣ୍ଡାର ପ୍ରଭାବ ଅନୁଭୂତ ହେଉଛି। ବଦ୍ରିନାଥ, କେଦାରନାଥ, ହେମକୁଣ୍ଡ ସାହିବ ସମେତ ସମସ୍ତ ଶିଖରରେ ହିମପାତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁଆପଥରର ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି। ଡେରାଡୁନ୍‌ ସମେତ ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି।

Exit mobile version