UTKAL PRATIDIN

କାନାଡ଼ାରେ ରହୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା

କାନାଡ଼ା ଓ ଭାରତ ମଧ୍ୟରେ ବଢ଼ିବାରେ ଲାଗିଛି ତିକ୍ତତା l ତେଣୁ କାନାଡ଼ାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ରାଜନୈତିକ ଦୃଷ୍ଟିରୁ ଘୃଣା, ଅପରାଧ ଓ ହିଂସାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି କାନାଡ଼ାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ବା ମାର୍ଗଦର୍ଶିକା ଜାରି କରିଛନ୍ତି ।

ଦୁଇ ଦେଶର ବିବାଦକୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଜାରି ହୋଇଛି ଏହି ମାର୍ଗଦର୍ଶିକା । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବିବାଦକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରେ ରହୁଥିବା ନିଜ ନାଗରିକଙ୍କ ପାଇଁ ସମାନ ପରାମର୍ଶ ଜାରି କରିବା ପରେ ଭାରତ ସରକାର ମଧ୍ୟ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି l

ମାର୍ଗଦର୍ଶିକାରେ କ’ଣ ରହିଛି?

• କାନାଡ଼ାରେ ଭାରତ ବିରୋଧୀ ଏଜେଣ୍ଡାକୁ ବିରୋଧ କରୁଥିବା ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟ ସମ୍ପ୍ରଦାୟର ଏକ ଅଂଶକୁ ଏବେ ଜାରି ରହିଥିବା ବିବାଦ ମଧ୍ୟରେ ଧମକ ମିଳିପାରେ ବୋଲି ଆଡଭାଇଜରିରେ ଦାବି କରାଯାଇଛି ।


• କାନାଡ଼ାରେ ଭାରତୀୟ ଛାତ୍ରଛାତ୍ରୀମାନେ କାନାଡ଼ାରେ ଅବକ୍ଷୟ ହେଉଥିବା ସୁରକ୍ଷା ବାତାବରଣ କାରଣରୁ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସତର୍କ ରୁହନ୍ତୁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି l


• କାନାଡ଼ାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀମାନେ ନିଜ ନିଜ ୱେବସାଇଟ୍ ଜରିଆରେ ଓଟାଓ୍ୱାସ୍ଥିତ ଭାରତୀୟ ହାଇକମିଶନର କିମ୍ବା ଟରଣ୍ଟୋ ଓ ଭାଙ୍କୁଭରସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ପଞ୍ଜୀକରଣ କରିବା ଆବଶ୍ୟକ। MADAD ପୋର୍ଟାଲ madad.gov.inରେ ବି ପଞ୍ଜିକରଣ କରିହେବ। ଏହି ପଞ୍ଜିକରଣ ଦ୍ୱାରା କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା କୌଣସି ଅଘଟଣ ଘଟିଲେ କର୍ତ୍ତୃପକ୍ଷ ସହାୟତା ପ୍ରଦାନ କରିପାରିବେ।


• ଆହୁରି ମଧ୍ୟ ମାର୍ଗଦର୍ଶିକାରେ କାନାଡାକୁ ଯାତ୍ରା ନକରିବା ପାଇଁ ଚେତାବନୀ ଦିଆଯାଇନାହିଁ।

କାନାଡ଼ାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀମାନେ ସମ୍ଭାବ୍ୟ ବିପଦ ସମ୍ପର୍କରେ ସଚେତନ ରହିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ପାଇଁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି l ଏହି ମାର୍ଗଦର୍ଶିକା ଭାରତ ଓ କାନାଡ଼ା ମଧ୍ୟରେ ବଢୁଥିବା ତିକ୍ତତାକୁ ଦର୍ଶାଉଛି l

Exit mobile version