
କିଛି ମାସର ବ୍ୟବଧାନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି।
ଏହା ସାଧାରଣତଃ ନଭେମ୍ବର ୧ ରୁ ଖୋଲା ଯାଇଥାଏ।କିନ୍ତୁ ଚଳିତ ବର୍ଷ ପାର୍ବଣଋତୁ ପୂର୍ବରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ଅଭୟାରଣ୍ୟ ଖୋଲାଯାଇଛି।ଶିମିଳିପାଳରେ ସ୍ବତନ୍ତ୍ର ଜଙ୍ଗଲ ସଫାରୀ ଗାଡ଼ିରେ ବୁଲି ପ୍ରକୃତିର ମଜା ନେବେ ପର୍ଯ୍ୟଟକ। ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି।
ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଦେଇଯାଇପାରିବେ ପର୍ଯ୍ୟଟକ। ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତିଦିନ ୩୫ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିପାରିବେ। ସକାଳ ୬ଟାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ।