Site icon UTKAL PRATIDIN

୧୬ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

1

ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି (ଶନିବାର) ଅପରାହ୍‌ଣ ୨ଟା (୧୬ ଘଣ୍ଟା) ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ବାରଣ ହୋଇଛି। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଇଁ ବିଭିନ୍ନ କାର୍ଯ୍ୟ କରାଯିବ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍‌ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ। କୌଣସି ସେବାୟତ ଯେପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶନରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହିତ, ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପାଇଁ ଭକ୍ତମାନେ ମାର୍କେଟ୍‌ ଛକରୁ ଧାଡ଼ିରେ ଯିବାକୁ ୩ ଥାକିଆ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ‌ସେ କହିଛନ୍ତି, ବ୍ୟାରିକେଡ୍‌ ଉପରେ କପଡ଼ାର ସିଲିଂ କରାଯାଉଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୩ରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ମାର୍କେଟ୍‌ ଛକଠାରୁ ଶ୍ରୀନଅର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version