
ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ଫିଲ୍ମ ରିଲିଜକୁ ୧୪ ଦିନ ବିତିଥିଲେ ସୁଦ୍ଧା ଏବେବି ଏହାର କ୍ରେଜ କମି ନାହିଁ l ଖୁବ ଭଲ କଲେକ୍ସନ ସହ ଆଗକୁ ବଢିଚାଲିଛି ଏହି ସିନେମା । ସିନେମାଟି ୪୦୦ କୋଟିରୁ ଅଧିକ ଆୟ କରି ଚଳିତ ବର୍ଷର ବ୍ଲକବ୍ଲଷ୍ଟର ଫିଲ୍ମରେ ପରିଗଣିତ ହୋଇଛି । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଫିଲ୍ମକୁ ବର୍ତ୍ତମାନ ପାର୍ଲାମେଣ୍ଟ ସଦସ୍ୟ ଦେଖିବେ। 3 ଦିନ ପାଇଁ ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l ‘ଗଦର ୨’ ୨୦୦୧ ଚଳଚ୍ଚିତ୍ର ‘ଗଦର ଏକ ପ୍ରେମ କଥା’ର ଏକ ସିକ୍ୱେଲ ଅଟେ । ଏହାର ପ୍ରଥମ ଭାଗ ପରି ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରିଲିଜ୍ ହେବାର ଦୁଇ ସପ୍ତାହ ମଧ୍ୟରେ ୪୦୦କୋଟିରୁ ଅଧିକ ଆୟ କରି ଅନେକ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଜି ଅର୍ଥାତ ଅଗଷ୍ଟ ୨୫ ତାରିଖରୁ ସଂସଦର ନୂତନ ଭବନରେ ତିନି ଦିନ ପାଇଁ ପ୍ରଦର୍ଶିତ ହେବ ବୋଲି ଖବର ଆସୁଛି । ଫିଲ୍ମର ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏହି ଖବରକୁ ନିଶ୍ଚିତ କରିଛି l ପ୍ରତ୍ୟେକ ଦିନ ସକାଳ ୧୧ ଟାରୁ ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟରେ ପ୍ରଦର୍ଶିତ ହୋଇ ଗଦର ୨ ପୁଣି ଆଉ ଏକ ରେକର୍ଡ ସୃଷ୍ଟି କରିଛି।
ନୂତନ ସଂସଦ ଗୃହରେ ‘ଗଦର ୨’ର ସ୍କ୍ରିନିଂ ଉପରେ ନିର୍ଦ୍ଦେଶକ ଅନିଲ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି, “ଫିଲ୍ମର ସ୍କ୍ରିନିଂ ପାଇଁ ଆମେ ସଂସଦରୁ ଏକ ମେଲ୍ ପାଇଛୁ।“ ମୁଁ ସତରେ ସମ୍ମାନିତ ମନେ କରୁଛି । ସେ ତିନି ଦିନିଆ ଶୋ’ରେ ଯୋଗଦେବେ କି ନାହିଁ ପଚରାଯିବାରୁ ଶର୍ମା କହିଛନ୍ତି, “ଦିଲ୍ଲୀ ଯାତ୍ରା କରିବା ମୋ ପାଇଁ କଷ୍ଟକର ହେବ କିନ୍ତୁ ଆସନ୍ତାକାଲି ମୁଁ ଯାତ୍ରା କରିପାରିବି । ମୋତେ କୁହାଯାଇଛି ଯେ ଉପରାଷ୍ଟ୍ରପତି ମଧ୍ୟ ଏହି ଫିଲ୍ମ ଦେଖିବାର ସମ୍ଭାବନା ରହିଛି।“
ନିକଟରେ ଗଦର ୨ର ସଫଳତା ନେଇ ସନ୍ନି ଦେଓଲ୍ ଏକ ଭିଡିଓ ସେୟାର କରି ଫିଲ୍ମ ପାଇଁ ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ‘ସର୍ବପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ, ମୁଁ କେବେ ଭାବି ନଥିଲି ଯେ ଆପଣମାନେ ଗଦର ୨ କୁ ଏତେ ପସନ୍ଦ କରିବେ। ଆପଣ ସମସ୍ତଙ୍କ ପାଇଁ, ଆମେ ୪୦୦ କୋଟି ଅତିକ୍ରମ କରିଛୁ । ତେବେ ଫିଲ୍ମର ପୁରା ଟିମ ଏବେ ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ତେବେ ଏସବୁ ଭିତରେ ସଂସଦରେ ଏହି ଫିଲ୍ମର ସ୍କ୍ରିନିଙ୍ଗ ଫିଲ୍ମ ପାଇଁ ଆଉ ଏକ ଖୁସି ଖବର l