ନୂଆଦିଲ୍ଲୀ: ଆଜି ଦେଶ ବିଦେଶରେ ପାଳନ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ। ଦେଶ ତଥା ବିଶ୍ବର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗରେ ଅଛନ୍ତି। ଆମେ ଶବ୍ଦରେ ମହିଳାଙ୍କ ଶକ୍ତିକୁ ଯେତେ ବର୍ଣ୍ଣନା କରୁନା କାହିଁକି, ତଥାପି ଏହା କମ୍। ତେବେ ଆନ୍ତର୍ଜାତୀୟ ମହିଳା ଦିବସର ଏହି ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଜଣେ ନାରୀଙ୍କ ସହ ପରିଚିତ କରେଇବୁ ଯିଏ ଆଜି ଯୁବବର୍ଗଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଆଜ୍ଞା ହଁ ଆମେ କହୁଛୁ ୨୦ ବର୍ଷ ବୟସର ସାନିଆ ଜାହିରାଙ୍କ ବିଷୟରେ । ସାନିଆ ଆଜି କାଶ୍ମୀର ଉପତ୍ୟକାର ଯୁବ ବର୍ଗଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ନିଜ ଜେଜେ ଓ ପିତା କରୁଥିବା ବୃତ୍ତିରେ ପାଦଥାପି ସଫଳ ହୋଇଛନ୍ତି ସେ ।
ଦିନେ ଯେଉଁ କାଶ୍ମୀର ଉପତ୍ୟକା ଢେଲା ମାଡ ଓ ଗୁଳି ଚାଳନା ପାଇଁ ଅପଖ୍ୟାତି ମୁଣ୍ଡାଇ ଥିଲା ଏବେ ସେହି ଉପତ୍ୟକାକୁ ଫେରିଛି ଶାନ୍ତି । ବିଗତ ୫/୬ ବର୍ଷ ମଧ୍ୟରେ କାଶ୍ମୀରରେ ସହଜ ଓ ସ୍ୱାଭାବିକ ହୋଇଛି ବିକାଶଧାରା । ରକ୍ତପାତ ଓ ହିଂସାକୁ ନେଇ ଶିରୋନାମା ପାଲଟୁଥିବା ଖବରରେ ଦେଖିବାକୁ ମିଳୁଛି ପରିବର୍ତ୍ତନ । ଏଭଳି ପରିବର୍ତ୍ତନ ପଛରେ ରହିଛି ସାନିଆଙ୍କ ପରି ଯୁବତୀ ମାନଙ୍କ ଦୃଢ ସଂକଳ୍ପ ଓ ଇଛାଶକ୍ତିର ନିଦର୍ଶନ । ସାନିଆ ନିଜ ମା ଓ ଜେଜୀମାଙ୍କ ପରି ନିଜକୁ ଘର କୋଣରେ ସୀମିତ ରଖିନଥିଲେ । ଚାରିକାନ୍ଥ ମଧ୍ୟରୁ ବାହାରକୁ ଆସି ସମ୍ଭାଳିଥିଲେ ପିତା ଓ ଜେଜେଙ୍କ ମହୁ ବ୍ୟବସାୟ ।
ଏହି ବୃତ୍ତି ଝିଅ ମାନଙ୍କ ପାଇଁ ସୁବିଧା ଜନକ ନ ହେଲେ ହେଁ ସାନିଆ ଏହାକୁ ହିଁ ବାଛିଲେ । ମହୁ ବାକ୍ସ ବସାଇବା ଠାରୁ ଆରମ୍ଭ କରି ମହୁମାଛି ଗୁଡିକର ସଂରକ୍ଷଣ, ଲାଳନ ପାଳନ ଓ ମହୁ ସଂଗ୍ରହ ତଥା ପ୍ରକ୍ରିୟାକରଣ ସହିତ ବଜାରରେ ବିକ୍ରି ଦାୟିତ୍ୱ ସେ ସଫଳତାର ସହିତ ନିର୍ବାହ କରୁଛନ୍ତି । କମ ଜାଗା,କମ ପରିଶ୍ରମ ଓ ବିନା ପରିବେଶକୁ କ୍ଷତି ପହଞ୍ଚାଇ ମହୁଚାଷ କରାଯାଉଥିବାରୁ ସାନିଆ ଏହାକୁ ଜୀବିକା ପାଇଁ ବାଛିଥିବା କହନ୍ତି । ଏବେ ସାନିଆ ମହୁଚାଷରୁ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା କହନ୍ତି ।