ନୂଆଦିଲ୍ଲୀ: ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ ଦାସ । କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମିଳିଲା ମଞ୍ଜୁରୀ । ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ । ଆରବିଆଇ ଗଭର୍ଣ୍ଣର ଥିବା ବେଳେ ଏବଂ ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ ।
ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। ଫଳରେ ଆର୍ବିଆଇର ୯୦ ବର୍ଷର ଇତିହାସରେ ଶକ୍ତିକାନ୍ତ ସର୍ବାଧିକ ସମୟ ପାଇଁ ରହିଥିବା ଗଭର୍ଣ୍ଣର ହିସାବରେ ରେକର୍ଡ କରିଥିଲେ। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ। ୨୦୨୩ ଓ ୨୦୨୪ରେ ଶକ୍ତିକାନ୍ତ ଦୁଇଥର ଆନ୍ତର୍ଜାତିକ ସ୍ତରରେ ‘ଏ+’ ମାନ୍ୟତା ପାଇଥିଲେ। ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଶକ୍ତିକାନ୍ତ କୋଭିଡ୍-୧୯ ସମେତ ୟୁକ୍ରେନ୍ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭଳି ଅନେକ ଆହ୍ବାନର ମୁକାବିଲା କରିଥିଲେ।
୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେହିପରେ ସେ ଜି-୨୦ ସମ୍ମିଳନୀରେ ଭାରତର “ସେରପା” ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ବସ୍ତୁ ଏବଂ ସେବା କର(ଜିଏସଟି)-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।