ଆଜି ଓଡିଶା ଗସ୍ତରେ ଆସିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରେ ସେ ପହଞ୍ଚି ସାରିଥିବା ବେଳେ ଏକା ଘରୋଇ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l ଏହାପରେ ସେ ପୁରୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l ଆଜି ଅପରାହ୍ନ ୫.୧୦ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀରେ ପହଁଚିବେ l ସେ ପୁରୀସ୍ଥିତ ରାଜଭବନରେ ପହଞ୍ଚିବେ । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ସେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବାହାରିବେ l
ମାନ୍ୟବର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବା ନେବାସହ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟା ୬.୩୦ ମିନିଟରେ ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରି ପୁର୍ନବାର ରାଜଭବନ ଅଭିମୁଖେ ଗମନ କରିବେ l ଏହା ପରେ ପୁରୀରୁ ବାହାରି ୭.୧୫ ସମୟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ କୋବିନ୍ଦ ।
ତେବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି l ସୂଚନା ଅନୁସାରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ l ଏନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ରାମନାଥ କୋବିନ୍ଦଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ ଓ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ବୋଲି କହିଛନ୍ତି ଏସପି ବିଶାଲ୍ ସିଂହ ।