Site icon UTKAL PRATIDIN

ବଦଳୁଛି ରାଜଧାନୀ, ବଦଳୁଛି ରାଜଧାନୀବାସୀଙ୍କ ଫୁଡ୍ ଆଉ ମୁଡ୍

20c21af1b4a59ebc7855bfd088d98585

ଭୁବନେଶ୍ଵର: ଦିନେ ରାଜଧାନୀ ଭୁବନେଶ୍ୱର ର ଗଳି କନ୍ଦିରେ ଯେଉଁଠି ବରା ଘୁଘୁନି ଆଳୁଚପ ର ଦୋକାନ ଥିଲା ଏବେ ସେଠି ବିକ୍ରି ହେଉଛି ମୋମୋ । ଭୁବନେଶ୍ୱର କ୍ଳବ ପଛପଟ ଚାଳିଆ ଘରେ  ଥିବା ରବି ଭାଇନା ଙ୍କ ରଡ଼ କାଠ ଚୁଲ୍ଲୀ ରେ ଫୁଟନ୍ତା ତେଲ କଡେଇ ଭିତରୁ ହାତ ପୁରେଇ ବରା ବାହାର କରି ଆଣିବା ଦୃଶ୍ୟ କୁ ଦେଖି ଗ୍ରାହକ 20 ବର୍ଷ ତଳେ ଯେଭଳି ପୁଲକିତ ହେଉଥିଲେ ଆଜି ଆଉ ତାହା ସେହି ସ୍ଥିତି ରେ ନାହିଁ । ଏବେ ଅଶୋକ ନଗର ରେ ଏଭଳି ଏକ ଦୋକାନ ଅଛି ଯେଉଁଠି ବିସ୍କେଟ ପାଟିରେ ପୁରାଇବା ମାତ୍ରେ ଭୁସ ଭୁସ ଧୂଆଁ ବାହାରୁଛି । ଯୁବବର୍ଗ ଏବେ ସେଠି ଜମାଇଛନ୍ତି ଭିଡ଼ । 

ପୁରୀ, ଇଡ଼ଲି, ଦହିବରା,ଗୁପଚୁପ ବେପାର ମାନ୍ଦା ପଡି ଆସୁଥିବା ବେଳେ ସହିଦ ନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଜଣେ ଗୁପଚୁପ ବ୍ୟବସାୟୀ ଗୁପଚୁପ ରେ  ଖଟାପାଣି ଦେବା ପାଇଁ ଏକ ଏଟିଏମ ମେସିନ ବ୍ୟବହାର କରି ଯୁବାବର୍ଗ ଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ମେସିନ ରେ ସେନ୍ସର ଲାଗିଛି । ପ୍ଲେଟ ଦେଖାଇବା ମାତ୍ରେ ଯେତିକି ଖଟାପାଣି ଆବଶ୍ୟକ ସେତିକି ନିର୍ଗତ ହୋଇଯାଉଛି । ଖଟା ପାଣିରେ ହାତ ବୁଡାଇ ଦେବା ଭଳି ଅପରିଷ୍କାର ଅଭ୍ୟାସ ବି ହେଉନି ଏବଂ ଟିକେ ନିଆରା ଲାଗୁଥିବାରୁ ଭିଡ଼ ବଢୁଛି । 

ରାମ ମନ୍ଦିର ପଛ ପଟ ଏକ ଗଳିର ନାଁ ହେଉଛି ଖାଉଗଳି । ସଞ୍ଜ ନଇଁଲେ ଏଠି ପହଞ୍ଚେ ୨୦ ପାଖାପାଖି ଭ୍ରାମ୍ୟମାଣ ଖାଦ୍ୟ ଗାଡି । ଗାଡି ଭିତରେ ସମସ୍ତ ସାଜ ସରଞ୍ଜାମ ରେଡି ଥାଏ । ଟାକୋ,ବୁରିଟୋ, ସ୍ୱର୍ମା, ନାଚୋ, ବ୍ରାଉନିଙ୍ଗ ଆଦି ମେକ୍ସିକାନ ଫୁଡ଼ ଠାରୁ ଚିକେନ୍ ପକୋଡା, ରୋଲ, ପପକର୍ଣ୍ଣ, ଚିକେନ୍ ଲଲିପପ୍ ଆଦି ଉପଲବ୍ଧ ହେଉଥିବାରୁ ଯୁବପିଢୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।  

ସେହିପରି ପଟିଆ ଛକରେ ଭଳିକି ଭଳି ଖାଦ୍ୟ ପରଶୀ ଦେଉଥିବା କେଏଫସି ,ବର୍ଗର କିଙ୍ଗ, ଡୋମିନୋସ,ଭଳି ସାମ୍ରାନ୍ତ ବ୍ୟଞ୍ଜନ ଶୃଙ୍ଖଳର ଶାଖା ଖୋଲିଛି । ରାସ୍ତାକଡ଼ରେ ସୁଇଟ କର୍ଣ୍ଣ, ଛତୁ ପକୋଡା, ପନିର ପକୋଡା ତନ୍ଦୁରୀ ମୋମୋ, ଫ୍ରାଏଡ଼ ମୋମୋ, ଷ୍ଟିମ ଓ ଚାଏନିଜ ମୋମୋ ମିଳିଲାଣି । ସେପଟେ ଯୁବପୀଢିଙ୍କୁ ଆହୁରି ମତୁଆଲା କରୁଛି ଟର୍କିସ ଆଇସକ୍ରିମ । ରୋମାଂଚକର ଅନୁଭବ ଦେଉଥିବାରୁ ଏହାର ସେଲ ବହୁଗୁଣିତ ହୋଇଯାଇଛି । କାଫେ ସଂଖ୍ୟା ବଢିଛି, ରାସ୍ତାଉପରେ ମିଳିଯାଉଛି ଲେମନ ଟି । ସିଆରପି ଛକରେ ଗୋଟିଏ ଚା ଦୋକାନ ଅଛି ସେଠି ୧୦୦ ପ୍ରକାର ର ଚା  ମିଳେ । 

ତେବେ ପୂର୍ବ ଭାରତ ର ଶିକ୍ଷାର ହବ କୁହାଯାଉଥିବା ଏହି ମନ୍ଦିର ମାଳିନୀ ସହର ରେ କାୟା ବିସ୍ତାର କରିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନୂଆ ପ୍ରକାର ଫୁଡ଼ କୋର୍ଟ । କିଟ ଛକରେ ବର୍ଜ୍ୟ ବସ୍ତୁ କୁ ବ୍ୟବହାର କରି ଏକ ନିଆରା ଗ୍ୟାରେଜ ଭଳି ପରିବେଶ ତିଆରି କରାଯାଇଛି ଏବଂ ତାରି ଭିତରେ ଖାଦ୍ୟ ଖାଇବାର ମଜା ନିଆଯାଉଛି । ରାସ୍ତାକଡ଼ ଫୁଡ଼ ର ନୂଆ ଟ୍ରେଣ୍ଡ ବଢ଼ୁଥିବାରୁ ଏ ପ୍ରକାର ବ୍ୟବସାୟ ବଢୁଛି । ଅନେକ ଲୋକଙ୍କ ଜୀବିକା ରେ ସହାୟ ହେଉଛି ବଦଳୁଥିବା ସହର ।

Exit mobile version