
ଭୁବନେଶ୍ଵର: ବସନ୍ତ ଆସିଲେ ପ୍ରକୃତି ରାଣୀ ଶୋଭାମୟୀ ହୋଇଉଠେ । ବସନ୍ତର ମୃଦୁ ମଳୟ, କୋକିଳର ସ୍ବର, ପାହାନ୍ତିଆରେ ହାଲକା ହାଲକା ଶୀତ ଭିତରେ ପରିବେଶ ବେଶ୍ ଆରାମ ଦାୟକ ଲାଗେ । ଏହି ବେଳାରେ ପ୍ରକୃତି କୋଳରେ ଫୁଟି ଉଠିଥିବା ପଲାଶ ଫୁଲ, ମହୁଲ ଫୁଲର ବାସ୍ନା, ଚାର ଓ କେନ୍ଦୁ ଫଳ ଭଳି ବନଜାତ ଫୁଲ ଫଳରେ ହସିଉଠେ ଧରିତ୍ରୀ । ରାସ୍ତା ଚାରିପଖରେ ଠିଆ ହୋଇଥିବା ପଳାଶ ଗଛରେ ବସନ୍ତର ଆଗମନରେ ନାଲି ରଙ୍ଗ ଭରି ଯାଇଥାଏ । ସତେ ଯେପରି ନୀଳ ଆକାଶ ତଳେ ବିଛାଯାଇଛି ନାଲି ରଙ୍ଗର ଓଢଣୀ । ଫଗୁଣରେ ଫୁଟିଥିବା ପଳାଶ ବସନ୍ତର ସ୍ପର୍ଶରେ ପୁଲକିତ ହୋଇଉଠେ । ବାସନା ନଥିଲେ ବି ପାଏ ଆଦର । ବାସ୍ନାହୀନ ଫୁଲଟିଏ, କିନ୍ତୁ ନିଜ ରୂପ-ରଙ୍ଗ ଓ ସୌନ୍ଦର୍ଯ୍ୟରେ ସଭିଙ୍କ ମନକୁ ରୋମାଞ୍ଚିତ କରେ ।
ପ୍ରକୃତିରାଣୀର ଏହି ଅପରୂପ ଭରା ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ଆବାଳ ବୃଦ୍ଧ ବନିତା । ବାଟରେ ଗଲା ବେଳେ ଏ ଫୁଲ ଉପରେ ଆପଣଙ୍କ ଆଖି ପଡିଥିବ । ରାସ୍ତାରେ ଚାଲି ଚାଲି ଯିବା ବେଳେ ବି ବାଟସାରା ବିଞ୍ଚି ହୋଇ ପଡିଥିବା ଫୁଲର ପାଖୁଡା ଉପରେ ଆପଣଙ୍କ ପାଦ ପଡିଥିବ । ନୀଳ ଆକାଶରେ ସତେ କିଏ ନାଲି ଲାଇଟ ଟାଙ୍ଗିଦେଲା ପରି ଦିଶୁଥିବା ଏ ଲାଲ ଟୁକୁଟୁକୁ ଫୁଲକୁ ଦେଖି ଆପଣ କେଇ କ୍ଷଣ ପାଇଁ କେବେ ନା କେବେ କିଛି ଭାବିଥିବେ, ହସିଥିବେ ଆଉ ପରେ ପୁଣି ଭୁଲି ଯାଇଥିବେ । କାରଣ ଜୀବନ ସହ ଯିଏ ଜଡିତ ନୁହେଁ ମଣିଷ ତାକୁ ଭୁଲିଯାଏ । ଏହା ମଣିଷର ସହଜାତ ପ୍ରବୃତି । ଆଉ ପଳାଶ ସେମିତି ଏକ ଫୁଲ ଯିଏ ଭିଡ ଭିତରେ ବି ଅଲୋଡା, ଅସ୍ପୃର୍ଶ୍ୟ, ଅଣଦେଖା ଓ ନିସଙ୍ଗତାର ଜୀବନ କାଟୁଥାଏ ।
ଶୁଆ ଥଣ୍ଟ ପରି ଦିଶୁଥିବା ଏ ଫୁଲକୁ ଫ୍ଲେମ୍ ଅଫ୍ ଦ ଫରେଷ୍ଟ ବି କୁହାଯାଏ । ଯାହା ବିରହ, ବିଦ୍ରୋହ ବହ୍ନିର ପ୍ରତୀକ ସାଜେ । ଆକାଶ ତଳେ ଏକାଏକା ଏକଲାପଣକୁ ଭୋଗୁଥିବା ପଳାଶ ଯେତେ ଅଲୋଡା ହେଲେ ବି ଫି ବର୍ଷ ଆସେ, ଫୁଟେ ଆଉ ପ୍ରେମର ରଙ୍ଗ ବୁଣି ମାଟିକୁ ଅବିରର ପାଟ ପିନ୍ଧାଏ । ଲେଖକର ଲେଖନୀରେ ଏକ ଆଭିଜାତ୍ୟର ପୁଷ୍ପ ଭାବେ ଗଣା ହେଉଥିବା ପଳାଶ ଚୈତ୍ର ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ପାଖରେ ଲାଗିହୁଏ ।ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।ଏହି ଗଛର ଚେରକୁ ବରଣ କରି ଧାରଣ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହା ସହିତ କ୍ଷତାକ୍ତ ସ୍ଥାନରେ ଏହାର ଚେରକୁ ଲେପନ କଲେ ଘା ମଧ୍ୟ ଭଲ ହୋଇଥାଏ। ପଳାଶ ଫୁଲକୁ ତେଲରେ ମିଶାଇ ଲେପନ କଲେ ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଅତି ପୁରୁଣା ରୁ ପୁରୁଣା ବାତରୋଗ ପଲାଶ ପତ୍ର ଢେମ୍ଫର ପ୍ରୟୋଗ କଲେ ରୋଗ ଭଲ ହୋଇଥାଏ। ଘରେ ଧନ ପ୍ରାପ୍ତି ପାଇଁ ଏହି ଗଛର ଚେର ଲାଭଦାୟକ ହୋଇଥାଏ । ବିଭିନ୍ନ ତନ୍ତ୍ରପୂଜାରେ ଏହି ଗଛର ପତ୍ର ,ଚେର ମଧ୍ୟ ଲାଗିଥାଏ ।