
ଭୁବନେଶ୍ଵର: ଭୁବନେଶ୍ବର ବରମୁଣ୍ଡା ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶାରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଓ ବିଭିନ୍ନ ବର୍ଗର ପ୍ରାଣିପାଳକ l ଏହି ସମାବେଶରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି ରାଜସ୍ତାନର ମଇଁଷି ‘ଭୀମ’ l ‘ଭୀମ’ର ଜୀବନଶୈଳୀ, ଖାଦ୍ଯଶୈଳୀ ଓ ଭାବଭଙ୍ଗି ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ଜାଗ୍ରତ କରୁଛି l
ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶକୁ ରାଜସ୍ଥାନ ଯୋଧପୁର ସହରରୁ ଆସିଛି ମଇଁଷି ‘ଭୀମ’ l ‘ଭୀମ’ ହେଉଛି ମୁରା ପ୍ରଜାତିର ମଇଁଷି । ‘ଭୀମ’ର ରଙ୍ଗ ଚିକ୍କଣ କଳା, ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ ଓ ଉଚ୍ଚତା ପ୍ରାୟ ୬ ଫୁଟ l ‘ଭୀମ’କୁ ବର୍ତ୍ତମାନ ୯ ବର୍ଷ l ରାଜସ୍ଥାନର ଶ୍ରୀ ଜବାହରଲାଲ ଜାଙ୍ଗିଦଙ୍କ ଦ୍ବାରା ପ୍ରତିପାଳିତ ‘ଭୀମ’ର ସୁନ୍ଦର ଓ ବଳିଷ୍ଠ ସ୍ବାସ୍ଥ୍ୟ, ବିଶାଳ ଆକାର ଓ ଉଚ୍ଚକୋଟିର ଶୁକ୍ରାଣୁ ପାଇଁ ସମଗ୍ର ଦେଶରେ ସ୍ବତନ୍ତ୍ର ଖ୍ଯାତି ରହିଛି ।
ଶ୍ରୀ ଜବାହରଲାଲ ଜାଙ୍ଗିଦଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ମଇଁଷି ଷଣ୍ଢ ‘ଭୀମ’ର ପ୍ରତିପାଳନରେ ଦୈନନ୍ଦିନ ଖାଦ୍ଯ ପାଇଁ ପ୍ରାୟ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ l ‘ଭୀମ’ ପ୍ରତିଦିନ ୨୦ ଲିଟର ମହୁମିଶା କ୍ଷୀର ପିଇଥାଏ l ଏହା ସହ କାଜୁ, ପିସ୍ତାବାଦାମ, ଗାଜର, ବନ୍ଧାକୋବି, ଋତୁଜାତୀୟ ପରିବା, ଶୁଖିଲା ନଡ଼ା ଓ ସବୁଜ ଘାସ ଖାଇଥାଏ l ଏଥିସହିତ ଭୀମ ପ୍ରତିଦିନ ବିଲୋନା ଘିଅର ପ୍ରାୟ ୧ କିଲୋ ହାଲୁଆ ଖାଇବାକୁ ଭଲପାଏ ବୋଲି କହିଛନ୍ତୁ ତାର ପ୍ରତିପାଳକ ।
ସୁନ୍ଦର ଓ ବଳିଷ୍ଠ ସ୍ବାସ୍ଥ୍ୟ ପାଇଁ ମଇଁଷି ଷଣ୍ଢ ‘ଭୀମ’ ପ୍ରତିଦିନ ଖୋଲା ପଡ଼ିଆରେ ବ୍ୟାୟମ କରିଥାଏ ଓ ସନ୍ତରଣ କୁଣ୍ଡରେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସନ୍ତରଣ କରିଥାଏ l ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା ମଇଁଷି ‘ଭୀମ’ର ଉପସ୍ଥିତି ଯୋଗୁଁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ତାକୁ ଦେଖିବାର ଓ ମୁରା ପ୍ରଜାତି ମଇଁଷିଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି l ସୂଚନାଯୋଗ୍ୟ ଯେ, ମୁରା ପ୍ରଜାତିର ମଇଁଷିମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ ୨୦-୨୫ ଲିଟର ହୋଇଥାଏ l