
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ । ବରଫ ଲିଙ୍ଗ ଦର୍ଶନ କରବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ ପାଖାପାଖି ୭ ଫୁଟ ଉଚ୍ଚ ରହିଛି ।
କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସ୍ଥିତି ପବିତ୍ର ଅମରନାଥ ଗୁମ୍ଫାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଶିବଲିଙ୍ଗର ନିର୍ମାଣ ପ୍ରାକୃତିକ ଭାବେ ବରଫରେ ହୋଇଛି । ଯାହାହ ଶିବଭକ୍ତଙ୍କ ପାଇଁ ଏକ ଚମତ୍କାର ଅନୁଭୂତି ।ଗତକାଲି ଜମ୍ମୁ କଶ୍ମୀରର ଉପରାଜ୍ୟପାଳନ ମନୋଜ ସିହ୍ନା ଶ୍ରୀନଗରର ପନ୍ଥା ଛକରେ ଅମରନାଥ ଯାତ୍ରା ଟ୍ରାଞ୍ଜିଟ କ୍ୟାମ୍ପ ଯାଇ ଯାତ୍ରା ପାଇଁ ହେବାକୁ ଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ । ପହଲଗାମ ଆକ୍ରମଣ ପରେ ଅମରନାଥ ଯାତ୍ରା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହରେ କିଛି ମଧ୍ୟ ଫରକ ପଡିନାହିଁ । ଏପର୍ଯ୍ୟନ୍ତ ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିସାରିଲେଣି । ଗତବର୍ଷ ତୁଳନାରେ ଚଳିତବର୍ଷ ଅନେକ ଗୁଣା ବରଫବୃତ୍ତ ହୋଇଛି । ଏଯାଏଁ ରାସ୍ତାରେ ୧୦ରୁ ୨୦ ଫୁଟ ଉଚ୍ଚତା ଯାଏଁ ବରଫ ରହିଛି । ପଞ୍ଜିତରଣୀ ଏବଂ ଶେଷନାଗରେ ଅଧିକ ବରଫ ରହିଛି ।
ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ପଞ୍ଜୀକରଣ, କ୍ୟାମ୍ପିଂ ସୁବିଧା, ଚିକିତ୍ସା ସୁବିଧା, ଟ୍ରାକ୍ ଅପଗ୍ରେଡ୍, ବିଦ୍ୟୁତ, ଜଳ ଯୋଗାଣ ଏବଂ ମୋବାଇଲ ଫୋନ୍ ବ୍ୟବହାର ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ RFID କାର୍ଡ ଦିଆଯିବ ବୋଲି ଆଶା କରାଯାଉଛି । ଯାହା ଦ୍ବାରା ଯାତ୍ରା ସମୟରେ ସେମାନେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜଣାପଡିବ । ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ସମ୍ବନ୍ଧରେ ଚିନ୍ତାଧାରାକୁ କମ୍ କରିବା ପାଇଁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।
ଯାତ୍ରା ସମୟରେ କଣ କରିବେ ?
- ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜମ୍ମୁ କାଶ୍ମୀରର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ସେମାନଙ୍କର RFID କାର୍ଡ ସଂଗ୍ରହ କରିବା ଜରୁରୀ ।
- SASB ଦ୍ବାରା ଜାରି କରାଯାଇଥିବା RFID କାର୍ଡ ଯାତ୍ରା ସମୟରେ ପିନ୍ଧିବା ଉଚିତ ।
- ଆରାମଦାୟକ ପୋଷାକ ଏବଂ ଟ୍ରେକିଂ ଜୋତା ପିନ୍ଧନ୍ତୁ ।
- ଯାତ୍ରା ସମୟରେ ସମୟ ନିଅନ୍ତୁ ଓ ସୁରକ୍ଷିତ ଭାବେ ଧିରେ ଧିରେ ଯାତ୍ରା କରନ୍ତୁ ।
- ହାଇଡ୍ରେଟେଡ୍ ରହିବା ପାଇଁ ପର୍ଯ୍ୟାପ୍ତ ଜଳ ପିଅନ୍ତୁ ।
- ଯାତ୍ରା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଚିକିତ୍ସା ପାଇଁ ଯୋଗାଯୋଗ କରିବେ ।
- ଟ୍ରେକିଂ ସମୟରେ ବିଶ୍ରାମ ନିଅନ୍ତୁ, କିଛି ସମୟ ପରେ ଯାତ୍ରା କରନ୍ତୁ ।
ଯାତ୍ରା ସମୟରେ କଣ କରିବେନି ? :
- ଟ୍ରେକିଂ ସମୟରେ ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ ।
- କ୍ୟାଫିନ ଥିବା ପାନୀୟ ପିଅନ୍ତୁ ନାହିଁ ।
- ମନ୍ଦିରରେ ପହଞ୍ଚିବା ପାଇଁ ସଟକର୍ଟ ରାସ୍ତା ଆପଣାନ୍ତୁ ନାହିଁ ।