
ନୂଆଦିଲ୍ଲୀ: ଦିଲ୍ଲୀର ଆରମ୍ଭ ହେଲା ରେଖା ରାଜ୍ । ଦେଶର ରାଜଧାନୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଭାବେ ଆଶିଶ ସୁଦ, ମନଜିନ୍ଦର ସିଂ ଶୀର୍ଷା, ରବିନ୍ଦର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ କୁମାର ସିଂହ ସମେତ ଶପଥ ଗ୍ରହଣ କରିଛନ୍ତି ।
ଦିଲ୍ଲୀର ରାମଲୀଳା ମଇଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସମେତ ମନ୍ତ୍ରିପରିଷଦ ଅନ୍ୟ ସଦସ୍ୟ ଏବଂ ଏନ୍ଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।
ଆଜିଠୁ ଦିଲ୍ଲୀରେ ବିଜେପି ସରକାର । ଚଳିତ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ୧୯୯୩ରେ ରେଖା ପ୍ରଥମ କରି ନିଜର ରାଜନୈତିକ କ୍ୟାରିୟର ଏବିଭିପିରୁ ଆରମ୍ଭ କରିଥିଲେ । ୧୯୯୬-୧୯୯୬ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘ ଅଧ୍ୟକ୍ଷ ହୋଇଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରେ (ୱାର୍ଡ-54)ରୁ ନିଗମ ପରିଷଦ ଭାବେ ନିଯୁକ୍ତ ହୋଇଥିଲେ ।
ଏହାପରେ ୨୦୨୨ରେ ଦିଲ୍ଲୀ ନଗର ନିଗମର ମେୟର ପ୍ରାର୍ଥୀ ଭାବେ ବିଜେପିରୁ ନିର୍ବାଚନ ଲଢିଥିଲେ । ଚଳିତ ନିର୍ବାଚନରେ ପ୍ରଥମ କରି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିବା ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଥିଲା ।