ଭୁବନେଶ୍ଵର: ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ତେବେ ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡିଥିବା ବେଳେ ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଏବଂ ସେ ଏବେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଅନେକ ରୋଗରେ ପୀଡ଼ିତ ଥିବା ନେଇ ଜଣାପଡିଛି । ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଥିଲା । ସେପଟେ ଓଡିଶାକୁ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଛି ।
ଖବର ଅନୁସାରେ, ବୟସ୍କ ବ୍ୟକ୍ତିଜଣକ ଦିଲ୍ଲୀରୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ସେ କ୍ୱାରେନଟାଇନରେ ରହିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ୍ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

