ନୂଆଦିଲ୍ଲୀ: ଗତକାଲି ସମଗ୍ର ବିଶ୍ୱରେ ବିଶ୍ୱ ସୁଖ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଜାତିସଂଘ ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ହାପିନେସ୍ ଇଣ୍ଡେକ୍ସ ପ୍ରକାଶ କରିଛି, ଯେଉଁଥିରେ କେଉଁ ଦେଶ ସୁଖ ତାଲିକାରେ କେତେ ସ୍ଥାନରେ ଅଛି ତାହା ଜଣାପଡିଛି। ଏଥିରେ ସର୍ବମୋଟ ୧୪୩ଟି ଦେଶ ଭାଗ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ସବୁଠୁ ସୁଖରେ ଥିବା ଦେଶ ହେଉଛି ଫିନଲ୍ୟାଣ୍ଡ।
ଫିନଲ୍ୟାଣ୍ଡ ଅନେକ ଦେଶକୁ ପଛରେ ପକାଇ ଲଗାତର ଅଷ୍ଟମ ଥର ପାଇଁ ସୁଖୀ ଦେଶ ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଯଦି ଇଣ୍ଡେକ୍ସକୁ ଦେଖିବା, ତେବେ ୧୪୩ ଦେଶ ମଧ୍ୟରେ ଭାରତ ୧୧୮ତମ ସ୍ଥାନରେ ରହିଛି। ନୋର୍ଡିକ୍ (ଉତ୍ତରପୂର୍ବ ୟୁରୋପ ଏବଂ ଉତ୍ତର ଆଣ୍ଟଲାଟିକ୍) ଦେଶଗୁଡିକ ୧୦ ସୁଖୀ ଦେଶ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଫିନଲ୍ୟାଣ୍ଡ୍ ପଛକୁ ଡେନ୍ମାର୍କ, ଆଇସ୍ଲାଣ୍ଡ୍, ସ୍ୱିଡେନ ଏବଂ ନେଦର୍ଲ୍ୟାଣ୍ଡ୍ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି । ବିଶ୍ୱ ଖୁସି ରିପୋର୍ଟରେ ଏହି ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଲା କୋଷ୍ଟାରିକା ଏବଂ ମେକ୍ସିକୋ ଶୀର୍ଷ ୧୦ଟି ଖୁସି ଦେଶ ତାଲିକା ମଧ୍ୟରେ ସ୍ଥାନ ପାଇଛନ୍ତି । କୋଷ୍ଟାରିକା ଷଷ୍ଠ ସ୍ଥାନରେ ଥିବାବେଳେ ମେକ୍ସିକୋ ୧୦ମ ସ୍ଥାନରେ ରହିଛି । ସେହିପରି ନରୱେ ସପ୍ତମ, ଇସ୍ରାଏଲ ଅଷ୍ଟମ, ଲକ୍ଜେମବର୍ଗ ନବମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୨୪କୁ ହ୍ରାସ ପାଇଛି, ବ୍ରିଟେନ୍ ୨୩ ତମ ସ୍ଥାନରେ ରହିଛି। ଆଫଗାନିସ୍ତାନ (ନମ୍ବର ୧୪୭) ପୁଣି ଥରେ ତାଲିକାର ତଳେ ଅଛି । ଖୁସି ତାଲିକାରେ ସିଆର ଲିୟୋନ (ନଂ ୧୪୬), ଲେବାନନ୍ (ନମ୍ବର ୧୪୫), ମଲାୱି (ନମ୍ବର ୧୪୪) ଏବଂ ଜିମ୍ବାୱେ (ନମ୍ବର ୧୪୩)ରେ ରହିଛନ୍ତି ।
ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟର ସୁଖ ଅନୁସନ୍ଧାନକାରୀ (ହାପିନେସ୍ ରିସର୍ଚ୍ଚର) ଜେନିଫର ଡି ପାଓଲା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ଦେଶର ଲୋକ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ ରଖି ଜୀବନ ବିତାଉଛନ୍ତି। ଏଥିସହ ସେମାନଙ୍କର ଏକ ସୁସ୍ଥ ଏବଂ ସନ୍ତୁଳିତ କର୍ମ-ଜୀବନ ରହିଛି, ଯାହା ସେମାନଙ୍କ ଜୀବନକୁ ଖୁସିରେ ରଖିବାର ପ୍ରମୁଖ କାରଣ। ସେହିପରି ଦେଶରେ ଦୃଢ଼ ଜନକଲ୍ୟାଣ ସେବା, ରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ୱାସ, ଦୁର୍ନୀତିର ନିମ୍ନ ସ୍ତର, ମାଗଣା ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ମଧ୍ୟ ପ୍ରମୁଖ କାରଣ ବୋଲି ଡି ପାଓଲା କହିଛନ୍ତି। ଅପରପକ୍ଷେ, ମଧ୍ୟ ଏବଂ ପୂର୍ବ ୟୁରୋପରେ ସମାନ ଅବଧି ମଧ୍ୟରେ ସମସ୍ତ ବୟସରେ ସୁଖ ଯଥେଷ୍ଟ ବୃଦ୍ଧି ପାଇଥିଲାବେଳେ ପଶ୍ଚିମ ୟୁରୋପରେ ସବୁ ବୟସର ଲୋକମାନେ ସମାନ ଖୁସିରେ ଥିଲେ। ସବୁଠୁ ବଡ଼ କଥା ହେଉଛି କି, ୟୁରୋପ ବ୍ୟତୀତ ପ୍ରତ୍ୟେକ ଅଞ୍ଚଳରେ ସୁଖରେ ଅସମାନତା ବୃଦ୍ଧି ପାଇଛି, ଯାହା ଚିନ୍ତାର କାରଣ।