Site icon UTKAL PRATIDIN

ବମ୍ପର କଲେକ୍ସନ କରୁଛି ‘ଛାବା’, ଭାଙ୍ଗିବ ଉରି ରେକର୍ଡ

chhaava-box-office-day-5-01

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଛାବା । ଗତ ଫେବୃଆରୀ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଛାବା’ ରିଲିଜ ଦିନ ଠାରୁ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ଚଳଚ୍ଚିତ୍ରକୁ ଦର୍ଶକ ମାନେ ଭୂରି ଭୂରି ପ୍ରଶଂସା କରୁଥିବା ବେଳେ ୫ ଦିନ ମଧ୍ୟରେ ୧୫୦ କୋଟି ଟଙ୍କା ପାର୍ କରିଛି ଛାବା ।

ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ‘ଛାବା’ ୩୩ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନରେ ଫିଲ୍ମଟି ୩୯.୩୦ କୋଟି ଟଙ୍କା ଆୟ କରିଥିଲା । ସେହିପରି ତୃତୀୟ ଦିନରେ ୪୯.୦୩ କୋଟି ଟଙ୍କା, ଚତୁର୍ଥ ଦିନରେ ୨୪.୧୦ କୋଟି ଟଙ୍କା ଏବଂ ୫ମ ଦିନର ୨୫.୫୬ କୋଟି ଟଙ୍କା ଆୟ କରିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୧୭୧ କୋଟି ଟଙ୍କା ରୋଜଗାର କରିସାରିଲାଣି ।

କହିରଖୁଛୁ ଯେ, ବିକି କୌଶଲଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରଟି ହେଉଛି ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ । ବକ୍ସ ଅଫିସରେ ଫିଲ୍ମଟି ୨୪୫.୩୬ କୋଟି ଟଙ୍କା ରୋଜଗାର କରିଥିଲା । ତେବେ ବର୍ତ୍ତମାନ ଛାବାର ରୋଜଗାର ଦେଖି ଏହା ଆଉ କେଇଟା ଦିନ ମଧ୍ୟରେ ଉରି ର ରେକର୍ଡ ଭାଙ୍ଗିବ ବୋଲି ଆଶା ରଖିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ଷ୍ଟାରକାଷ୍ଟ ।

କହିରଖୁଛୁ ଯେ, ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛାବା’ ରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ତାଙ୍କ ପତ୍ନୀ ୟଶବାଇ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା ମନ୍ଦାନା । ଏହି ଫିଲ୍ମରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ମଧ୍ୟ ନଜର ଆସିଛନ୍ତି । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।

Exit mobile version