
ନୂଆଦିଲ୍ଲୀ: ଭାରତରେ ଅଛନ୍ତି ଶେଖ ହାସିନା | ବାଂଲାଦେଶ ଛାଡିବା ପରେ ସିଧା ଗାଜିଆବାଦର ହିଣ୍ଡନ ଏୟାରବେଶରେ ଓଲ୍ହାଇଥିଲେ | ସେଠାରୁ ଦିଲ୍ଲୀ ଯାଇ ପରେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ଥିଲା | ହେଲେ ହାସିନା କୁଆଡେ ଗଲେ ସେ ବିଷୟରେ କିଛି ସୂଚନା କାହା ପାଖରେ ନଥିଲା | ତେବେ ଶେଖ ହାସିନା ଭାରତରେ ଥିବା ନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସ୍ପଷ୍ଟ କରିଛନ୍ତି |
ମଙ୍ଗଳବାର ମନ୍ତ୍ରୀ ଏସ.ଜୟଶଙ୍କର ବୟାନ ଦେଇ କହିଛନ୍ତି, ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତରବରିଆ ଭାବେ ଭାରତକୁ ଆସିବା ପାଇଁ ଅନୁରୋଧ କରିଥିଲେ | ତେଣୁ ସେ ସୁରକ୍ଷିତ ଭାବେ କିପରି ଭାରତ ଆସିବେ ତାର ବ୍ୟବସ୍ଥା କରାଯାଇଥିଲା | ଭାରତ ସରକାର ବାଂଲାଦେଶରେ ନିଜ ନାଗରିକଙ୍କ ସହ ସମ୍ପର୍କ ରଖିଛି | ସେଠାରେ ପ୍ରାୟ ୯୦ ହଜାର ଭାରତୀୟ ଅଛନ୍ତି | ଏମାନଙ୍କ ମଧ୍ୟରେ ୬ ହଜାର ଛାତ୍ର ଅଛନ୍ତି |
ସେ କହିଛନ୍ତି, ୨୪ ଘଣ୍ଟା ମଧ୍ୟରେ ବହୁତ କିଛି ବଦଳି ଯାଇଛି | ବାଂଲାଦେଶରେ ଥିବା ଅଳ୍ପସଂଖ୍ୟକଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ | ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ | ଗୃହରେ ଏହି ମାମଲାରେ ସହଯୋଗ ଚାହୁଁଛୁ | ବାଂଲାଦେଶରେ ବିକ୍ଷୋଭକାରୀମାନେ ଜଣେ ଆବମୀ ଲିଗର ଜଣେ ନେତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି | ସାରା ଦେଶରେ ହିଂସା, ପୋଡାଜଳା ଲାଗି ରହିଛି |
ବିକ୍ଷୋଭକାରୀମାନେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ କରିଛନ୍ତି | ଗହଳି ଭିତରେ ହିନ୍ଦୁଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଛନ୍ତି | ହିନ୍ଦୁଙ୍କ ଘର ଜାଳି ଦେଉଛନ୍ତି | ଦୋକାନ ଲୁଟି ନେଉଛନ୍ତି | ଦେଶର ୨୭ ଜିଲାରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି | ସେସବୁ ଉପରେ ନଜର ରଖାଯାଇଛି |
ଯାହା ବି ହେଉ ବର୍ତ୍ତମାନ ପାଇଁ ଶେଖ ହସିନା ଭାରତରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ | ଶେଖ ହାସିନା ଆସିଥିବା ସେନା ଫ୍ଲାଇଟକୁ ଫେରାଇ ଦିଆଯାଇଛି | ହାସିନାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଛାପା ମରାଯାଇଛି | ବିଏସଏଫକୁ ମଧ୍ୟ ଆଲର୍ଟ କରାଯାଇଥିବା କହିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର |