ଭୁବନେଶ୍ଵର: ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ପିଲା ଚାପରେ ପଡିଯାଆନ୍ତି । ଯେମିତି ସମୟ ପାଖେଇ ଆସେ ପରୀକ୍ଷା ଚାପ ବଢି଼ ଚାଲେ । ଆଗକୁ ଆସୁଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ବୋର୍ଡ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ଲାଗି ଏକ ଆହ୍ବାନପୂର୍ଣ୍ଣ ସମୟ ହୋଇଥାଏ । ସମସ୍ତେ ଭଲ ମାର୍କ ରଖିବାକୁ ଚାହାଁନ୍ତି ଏବଂ ଏଥିପାଇଁ ରାତିଦିନ କଠିନ ପରିଶ୍ରମ କରନ୍ତି । ପରୀକ୍ଷା ପ୍ରସ୍ତୁତି ମଧ୍ୟରେ ଅନେକ ପିଲା ଅତ୍ୟଧିକ ଚାପଗ୍ରସ୍ତ ହୋଇପଡନ୍ତି । ଏହା ସେମାନଙ୍କର ଉଭୟ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ବିଶେଷକରି ଯୁକ୍ତ ଦୁଇ ପିଲାଙ୍କ ପାଇଁ ଏହି ସମୟ ଖୁବ୍ ଚାପପୂର୍ଣ୍ଣ ହୋଇଥାଏ କାରଣ ସେମାନଙ୍କୁ ବୋର୍ଡ ପରୀକ୍ଷା ସହ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି ପ୍ରସ୍ତୁତି କରିବାକୁ ପଡିଥାଏ ।
ଏହି ସମୟରେ ଅଧିକାଂଶ ପିଲା ମାନସିକ ଚାପର ସମ୍ମୁଖୀନ ହୁଅନ୍ତି ଯାହାର ପ୍ରଭାବ ସେମାନଙ୍କ ଶାରିରୀକ ସ୍ବାସ୍ଥ୍ୟ ଓ ବ୍ୟବହାରରେ ପରିଲକ୍ଷିତ ହୁଏ । ଏହି ପ୍ରଭାବ କିଛି ପିଲାଙ୍କଠାରେ କମ୍ ଦେଖାଯାଏ । କିନ୍ତୁ ଏମିତି ମଧ୍ୟ କିଛି ପିଲା ଥାଆନ୍ତି, ଅତ୍ୟଧିକ ମାନସିକ ଚାପ ସେମାନଙ୍କ ପଢିବା ଓ ମନେରଖିବା କ୍ଷମତାକୁ ପ୍ରଭାବିତ କରେ । ବେଳେବେଳେ ସେମାନେ ନିଜକୁ କ୍ଷତି ପହଞ୍ଚାଇବାକୁ ବି ପଛାନ୍ତି ନାହିଁ । ପରୀକ୍ଷା ସମୟରେ ପିଲାମାନେ ନର୍ଭସ ହେବା ସ୍ବାଭାବିକ କଥା। ହେଲେ ମା’ବାପା ଚାହିଁଲେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଭଳି କିଛି କଥା କହି ସେମାନଙ୍କର ମନରୁ ଏଭଳି ଭୟ ଦୂରକରିପାରିବେ। ପରୀକ୍ଷା ସମୟରେ ପିଲା ସହ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯାଆନ୍ତୁ। ରାସ୍ତାରେ ଯିବା ସମୟରେ ପିଲାକୁ ଉତ୍ସାହିତ କରନ୍ତୁ। ରିଲାକ୍ସ ରହିବାକୁ କୁହନ୍ତୁ। ପରିଣାମର ଚିନ୍ତା ଆଦୌ ନ କରି ବରଂ ଉତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟାକର- ଏଭଳି କିଛି କଥା କୁହନ୍ତୁ। ଏହା ସେମାନଙ୍କ ଟେନ୍ସନ କିଛି ମାତ୍ରାରେ ଦୂରକରିପାରିବ।
ଅତ୍ୟଧିକ ମାଡ଼ କିମ୍ବା ଗାଳିକଲେ ପିଲା ଭୟଭୀତ ହୋଇ ଅନେକ କଥା ପ୍ରକାଶ କରି ନ ଥାନ୍ତି। ଯଦି ଆପଣଙ୍କ ପିଲା ଟେନ୍ସନରେ ଅଛି, ତେବେ ତା’ର ପ୍ରକୃତ କାରଣ ବୁଝନ୍ତୁ। ମା’ବାପାଙ୍କ ପରି ତାଗିଦ କରି ନୁହେଁ ବରଂ ସାଙ୍ଗ ଭଳି ବ୍ୟବହାରକରି ପଚାରନ୍ତୁ। ପ୍ରତିଟି ପିଲାଙ୍କ ସ୍ବଭାବ ଭିନ୍ନ ରହିଥାଏ। ସାମାନ୍ୟ ପାଠପଢ଼ା କରୁଥିବା ପିଲାଠାରୁ ୯୦ ପ୍ରତିଶତ ମାର୍କ ରଖିବା ଆଶା କରିବା ଆଦୌ ଠିକ୍ ନୁହେଁ। ତେଣୁ ଆପଣଙ୍କ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏହାଦ୍ୱାରା ପିଲା ଉପରେ ମାନସିକ ଚାପ ପଡ଼ିଥାଏ। ଆପଣଙ୍କ ପିଲା କେଉଁ ସବ୍ଜେକ୍ଟରେ ଦୁର୍ବଳ ରହିଛି ତାହା ପ୍ରଥମେ ଜାଣନ୍ତୁ। ଏ ସମ୍ପର୍କରେ ତା’ର ଶିକ୍ଷକ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ଏଥିପାଇଁ ପିଲାର ସାଙ୍ଗସାଥୀଙ୍କୁ ବି ଘରକୁ ଆଣିପାରନ୍ତି। ପିଲାର ପାଠପଢ଼ା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ। ପଢ଼ିବା ସମୟରେ ଟିଭି ସାଉଣ୍ଡ କମ୍ କରନ୍ତୁ।
ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ, ଲାପ୍ଟପ୍, ଟ୍ୟାବ୍ ଆଦି ବିଭିନ୍ନ ଅପ୍ସନ୍ ରହିଛି, ଆପଣଙ୍କ ପରିବାର ସଦସ୍ୟ ଚାହିଁଲେ ଏଥିରେ ଭରପୂର ମନୋରଞ୍ଜନ ଉଠାଇପାରିବେ। ପରୀକ୍ଷା ପ୍ରସ୍ତୁତି ସମୟରେ ବିଶ୍ରାମନେବା କିଛି ଜଣଙ୍କ ପାଇଁ ଅଜବ ଲାଗିପାରେ ସତ, କିନ୍ତୁ ଏହି ସମୟରେ ମସ୍ତିଷ୍କକୁ ବିଶ୍ରାମଦେବା ଜରୁରୀ। ପରୀକ୍ଷା ଟେନ୍ସନରୁ ମୁକ୍ତି ପାଇବା ପାଇଁ କିଛି ସମୟ ରେଷ୍ଟ୍ ନେବା ସହ ମଜାଦାର କଥାବାର୍ତ୍ତା ବା କାର୍ଯ୍ୟକଳାପରେ ବ୍ୟସ୍ତ ରୁହନ୍ତୁ। ପିଲାକୁ ଏକ୍ସରସାଇଜ୍ କରିବାକୁ ପଠାଇବା ସହ କିଛି ସମୟ ଟିଭି ଦେଖିବାକୁ ଅନୁମତି ଦିଅନ୍ତୁ। ଏହାଦ୍ୱାରା ତା’ ମନ ହାଲ୍କା ହେବା ସହ ପାଠ ପଢ଼ିବାକୁ ଆହୁରି ଆଗ୍ରହ ସୃଷ୍ଟି ହେବ।