
ପୂର୍ବତନ ପୁଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ପରଲୋକ l ଆଜି ସକାଳ ୭ଟା ୨୪ ମିନିଟ୍ ସମୟରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୧୯୫୯ ମସିହା ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ଶରତ ଚନ୍ଦ୍ର ମିଶ୍ର l ସେ ଗତ କିଛି ଦିନ ହବ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ଆଜି ସେ ପ୍ରାଣତ୍ୟାଗ କରିଛନ୍ତି l
ଶ୍ରୀ ମିଶ୍ର ଜଣେ ଦାୟିତ୍ୱବାନ ପୋଲିସ ଅଫିସର ହେବା ସହ ଜଣେ ଖ୍ୟାତିନାମା ଲେଖକ ମଧ୍ୟ ଥିଲେ l ନିଜର ସାହିତ୍ୟକୃତି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଛି । ଖାଲି ସେତିକି ନୁହେଁ, ଶରତ ଚନ୍ଦ୍ର ମିଶ୍ର ଦୈନିକ ‘ସମ୍ବାଦ’ର ଜଣେ ସ୍ତମ୍ଭକାର ମଧ୍ୟ ଥିଲେ।
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଶରତ ଚନ୍ଦ୍ର ମିଶ୍ରଙ୍କର ମରଶରୀରକୁ ପ୍ରଥମେ ଚନ୍ଦ୍ରଶେଖରପୁର ଡିଏଭିକୁ ନିଆଯିବ। ତାପରେ ତାଙ୍କର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯାଇଥିଲା l ସେଠାରେ ତାଙ୍କୁ ମଧ୍ୟାହ୍ନ ୧୨ଟା ଯାଏ ଅନ୍ତିମ ଦର୍ଶନ ଲାଗି ରଖାଯିବ। ଏହାପରେ ତାଙ୍କୁ ପୁରୀ ନିଆଯିବ l ଆଜି ଅପରାହ୍ଣରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।