Site icon UTKAL PRATIDIN

ଆକ୍ସନ ମୋଡ଼ରେ ଏଲୋନ ମସ୍କ; ସସପେଣ୍ଡ କଲେ ଆକାଉଣ୍ଟ

7

ନୂଆଦିଲ୍ଲୀ: ବିବାଦୀୟ ନ୍ୟୁଜ ଓ୍ବେବ ପୋର୍ଟାଲ ନ୍ୟୁଜ କ୍ଲିକର ଟ୍ବିଟର ଆକାଉଣ୍ଟ ନିଲମ୍ବନ ହେଲା। ଆଜି ଅପରାହ୍ନରୁ ସଂପୃକ୍ତ ସଂସ୍ଥାର ଟ୍ବିଟର ଆକାଉଣ୍ଟ ସସପେଣ୍ଡ ବା ନିଲମ୍ବିତ ହୋଇଥିବା ଦେଖିବାକୁ ମିଳିଛି।ମିଡିଆ କମ୍ପାନିର ଆକାଉଣ୍ଟରେ ଏବେ ଲେଖା ହୋଇଛି, ଆକାଉଣ୍ଟ ସସପେଣ୍ଡ। ଏଲନ ମସ୍କଙ୍କ ନେତୃତ୍ବାଧୀନ କମ୍ପାନୀ ଏବେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆକାଉଣ୍ଟକୁ ବନ୍ଦ କରିଦେଇଛି।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ମାଧ୍ୟମରେ ନିଜର ପ୍ରଚାର ପ୍ରସାରକୁ ଆଗକୁ ବଢାଇବା ପାଇଁ ଭାରତୀୟ ନ୍ୟୁଜ୍ ପୋର୍ଟାଲ ଚୀନଠାରୁ ଅର୍ଥ ନେଇଥିବା ଅଭିଯୋଗ ଆସିବା ପରେ ସଂପୃକ୍ତ ସଂସ୍ଥା ବିବାଦୀୟ ହୋଇପଡ଼ିଛି। ଚୀନର ଏଜେଣ୍ଡା ପ୍ରଚାର ପ୍ରସାର ପାଇଁ ଭାରତର ବାମପନ୍ଥୀ ନେତା ପ୍ରକାଶ କରାତଙ୍କ ସମେତ ଅନେକ ସାମ୍ବାଦିକ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ରହିଛି।

ଇତିମଧ୍ୟରେ 255 ଜଣ ବିଶିଷ୍ଟ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ବିଚାରପତି ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଏହି ମିଡିଆ କମ୍ପାନୀ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ତାଲିକାରେ ପୂର୍ବତନ ବିଚାରପତି, ଭେଟେରାନ ଏବଂ ବ୍ୟୁରୋକ୍ରାଟମାନେ ଅଛନ୍ତି ଯେଉଁମାନେ ଚିଠିରେ କହିଛନ୍ତି ଯେ ଆମେ ‘ଫ୍ରି ପ୍ରେସ୍’ ଆଳରେ ସମସ୍ତ ପ୍ରକାରର ଶତ୍ରୁ ଶକ୍ତିକୁ ଲାଭ ଦେଉଛୁ।

ସେହିପରି ନ୍ୟୁଜ ପୋର୍ଟାଲ ସହ ଜଡିତ ତଦନ୍ତକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କୋର୍ଟରେ ଆବେଦନ କରିବା ପରେ ଦିଲ୍ଲୀ ହାଇକୋର୍ଟ NewsClick ଏବଂ ଏହାର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ନୋଟିସ ଜାରି କରିଛନ୍ତି। NewsClick ବିରୋଧରେ କୌଣସି କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି 2021ରେ ଦିଆଯାଇଥିବା ଆଦେଶକୁ ରଦ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ହାଇକୋର୍ଟଙ୍କୁ ଅନୁରୋଧ କରିଛି। ମିଡିଆ କମ୍ପାନୀକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି ଏବଂ ସେପ୍ଟେମ୍ବର 6ରେ ମାମଲାର ଶୁଣାଣି ହେବ ବୋଲି କୁହାଯାଇଛି।

Exit mobile version