 
        ନୂଆଦିଲ୍ଲୀ: ପଶୁ ଏବଂ ମଣିଷ ମଧ୍ୟରେ ପ୍ରେମ ଏବଂ ବିଶ୍ୱସ୍ତତାର କାହାଣୀ ପ୍ରାୟତଃ ଆମକୁ ଆଶ୍ଚର୍ଯ୍ୟ କରିଥାଏ । କାହିଁ କେଉଁ କାଳରୁ ହାତୀ-ମଣିଷ ଭିତରେ ଏକ ବିଶେଷ ସମ୍ପର୍କ ରହି ଆସିଛି । ଆଉ ସେ ମଣିଷ ଯଦି ଛୋଟ ବେଳୁ ହାତୀକୁ ଲାଳନ ପାଳନ କରିଆସୁଥିବା ମାହୁନ୍ତ ହୁଏ ତେବେ ତ କଥା ସରିଲା । ତାଙ୍କ ଭିତରେ ଥିବା ସେ ଗଭୀର ସମ୍ପର୍କ ବିଷୟରେ ଆପଣ ଅନେକ କଥା ହୁଏତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ବାସ୍ତବରେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ହଇଚଇ ସୃଷ୍ଟି କରୁଛି। ଭିଡିଓରେ, ଏକ ହାତୀ ତାର ଅସୁସ୍ଥ ମାହୁନ୍ତଙ୍କୁ ଭେଟିବାକୁ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଆସିଛି । ଯାହାକୁ ଦେଖି କୋଟି କୋଟି ଲୋକ ଭାବପ୍ରବଣ ହୋଇ ପଡିଛନ୍ତି।
ବାସ୍ତବରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧ ମାହୁନ୍ତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିବାକୁ ହସ୍ପିଟାଲରେ ପହଞ୍ଚୁଛନ୍ତି। ଏହି ସମୟରେ ନିଜ ପ୍ରିୟ ମାହୁନ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛି ହାତୀ। ତେବେ କୋଠରୀର ଦ୍ୱାର ଛୋଟଥିବାରୁ ହାତୀଟି ସିଧାସଳଖ ଭିତରକୁ ପ୍ରବେଶ ନକରିପାରି ଆଣ୍ଠୁ ମାଡ଼ି ନଇଁ ନଇଁ ଭିତରକୁ ଯାଇଥିଲା । ଭିତରକୁ ଗଲା ପରେ ପ୍ରିୟ ମାହୁନ୍ତଙ୍କ ପାଖରେ ବସିଥିଲା ହାତୀଟି ।
ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ହାତୀଟି ତା’ର ପ୍ରିୟର ମାହୁନ୍ତକୁ ସ୍ନେହରେ ଗେଲ କରୁଛି ଏବଂ ତା’ର ଶୁଣ୍ଢରେ ମାହୁନ୍ତ ଶରୀରରେ ଘୋଡ଼ାଥିବା ଚାଦରଟିକୁ କାଢ଼ିବାକୁ ଚେଷ୍ଟା କରୁଛି। ଏହା ପରେ ପୁଣି ଚୁପ୍ ଚାପ୍ ବସି ପଡୁଛି । ଲାଗୁଛି ସତେ ଯେପରି ସେ ତା’ର ମାହୁନ୍ତକୁ ମୃତ୍ୟୁ ମୁଖରୁ ଉଠାଇ ଆଣିବାକୁ ଚେଷ୍ଟା କରୁଛି । ହାତୀ-ମାହୁନ୍ତର ଏହି ଭଲପାଇବା ଦେଖି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଭାବପ୍ରବଣ ହୋଇପଡୁଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ହାତୀ-ମଣିଷ ମଧ୍ୟରେ ଥିବା ଏକ ଅନନ୍ୟ ପ୍ରେମକୁ ପ୍ରତିପାଦନ କରୁଛି । ଏକ୍ସରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏଯାବତ୍ ୬ ନିୟୁତରୁ ଅଧିକ ଲୋକ ଦେଖିସାରିଲେଣି । ସେପଟେ ହଜାର ହଜାର ଲୋକ ଭିଡିଓକୁ ଦେଖି ସେମାନଙ୍କର ଭାବନା ପ୍ରକାଶ କରିଛନ୍ତି। ଜଣେ ଉପଭକ୍ତା ଲେଖିଛନ୍ତି, “ଏହା ପ୍ରେମର ସବୁଠାରୁ ପବିତ୍ର ରୂପ। ପଶୁମାନେ କେବେବି ସେହି ଲୋକମାନଙ୍କୁ ଭୁଲନ୍ତି ନାହିଁ ଯେଉଁମାନେ ସେମାନଙ୍କର ଯତ୍ନ ନିଅନ୍ତି ।”
 
         
         
         
         
        