
ରାଜ୍ୟସଭା ଉପନିର୍ଵାଚନ ଆସନ୍ତା ଡ଼ିସେମ୍ବର ୨୦ତାରିଖରେ ଅନୁଷ୍ଠିତ ହେବ ଡିସେମ୍ବର ୨୦ ତାରିିଖରେ ହେବ ୪ଟି ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ। ଏଥିପାଇଁ ଆଜି ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ।
ମୁଖ୍ୟ ନିର୍ବାଚନ ଆୟୋଗ ଜାରି କରିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୩ ତାରିଖରେ ଉନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୦ ରହିଛି। ଡିସେମ୍ବର ୧୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ଡିସେମ୍ବର ୧୩ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ। ଆଉ ନିର୍ବାଚିତ ନେତାଙ୍କ ନାମ ଘୋଷଣା କରାଯିବ। ରାଜ୍ୟସଭା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୪ ତାରିଖରେ ଶେଷ ହେବ।
ସୂଚନାମୁତାବକ, ଜୁଲାଇ ମାସନରେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଥିଲେ। ଯାହାପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମମତା ମହନ୍ତଙ୍କ ପ୍ରାର୍ଥୀ କରି ପୁଣିଥରେ ସଂସଦ ପଠାଇଥିଲା ବିଜେପି। ମମତାଙ୍କ ପରେ ସୁଜିତ କୁମାର ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ଏବେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା। ତେଣୁ ଓଡ଼ିଶାରୁ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଡିସେମ୍ବର ୨୦ ତାରିଖରେ ଆନ୍ଧ୍ରପ୍ରଦେଶର ୩ଟି ଆସନ ପାଇଁ ଉପନିର୍ବାଚନ ଅନୁୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା, ପଶ୍ଚିମବଙ୍ଗ ଓ ହରିୟାଣାର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁୁଷ୍ଠିତ ହେବ।