
ଭୁବନେଶ୍ଵର: ଚିକେନ ଏମିତି ଏକ ଖାଦ୍ୟ ଯାହା ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ । ଆଜିକାଲି ଲୋକମାନଙ୍କର ଖାଦ୍ୟ ତାଲିକାର ଶୀର୍ଷରେ ଥାଏ ଚିକେନ ତରକାରୀ । ପାର୍ଟି ହେଉ କି ଭୋଜି ଚିକେନ ଆଇଟମ ବିନା ଫିକା ଲାଗେ । ସମସ୍ତଙ୍କ ଘରେ ପ୍ରାୟତଃ ଚିକେନର ବିଭିନ୍ନ ପ୍ରକାରର ଆଇଟମ ହୋଇଥାଏ । ବିଶେଷକରି ଛୁଟିଦିନରେ ଚିକେନ ଟିକିଏ ନହେଲେ ଖାଇବାରେ ମଜା ଆସେ ନାହିଁ । ହେଲେ ଆପଣମାନେ କ’ଣ ଜାଣିଛନ୍ତି କି ଆପଣ ଖାଉଥିବା ଚିକେନ ଆପଣଙ୍କ ପାଇଁ କ୍ୟାନ୍ସରର କାରଣ ହୋଇପାରେ ।
ଇଟାଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଗବେଷକଙ୍କ ଅନୁସାରେ, ଅତ୍ୟଧିକ ଚିକେନ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ଯେଉଁମାନେ ସପ୍ତାହରେ ୩୦୦ ଗ୍ରାମରୁ ଅଧିକ ଚିକେନ୍ ଖାଆନ୍ତି, ସେମାନଙ୍କ ପେଟ ଏବଂ ଅନ୍ତନଳୀ ସମ୍ବନ୍ଧୀୟ ରୋଗ ଏବଂ କର୍କଟ ରୋଗର ଆଶଙ୍କା ବଢ଼ିପାରେ । ଗବେଷକମାନଙ୍କ କହିବା ଅନୁସାରେ ଅତ୍ୟଧିକ ଚିକେନ୍ ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଏ । ଗନେଷକମାନେ ଦୀର୍ଘ ୨୦ ବର୍ଷ ଧରି ୪,୮୬୯ ବୟସ୍କଙ୍କ ତଥ୍ୟ ଅଧ୍ୟୟନ କରି ଜାଣିପାରିଲେ ଯେ ଯେଉଁମାନେ ଅଧିକ ଚିକେନ୍ ଖାଆନ୍ତି ସେମାନଙ୍କର ଅକାଳ ମୃତ୍ୟୁର ଆଶଙ୍କା ମଧ୍ୟ ଅଧିକ ଥାଏ ।
ଗବେଷକମାନେ ବିଶ୍ୱାସ କରନ୍ତି ଯେ ଏହାର ଅଧିକ ଗଭୀରତା ସହିତ ତଦନ୍ତ କରାଯିବା ଆବଶ୍ୟକ। ନ୍ୟୁଟ୍ରିଏଣ୍ଟସ୍ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରେ, ବିଶେଷଜ୍ଞମାନେ ଚିକେନ୍ ଖାଇବା ବିଷୟରେ ସତର୍କ ରହିବା ସହ ମାଂସାହାରୀମାନେ କ’ଣ କରିବା ଉଚିତ ତାହା ମଧ୍ୟ କହିଛନ୍ତି । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମାଂସାହାରୀମାନେ କମ୍ କୁକୁଡ଼ା ଖାଇବା ଉଚିତ୍ । ଚିକେନକୁ ଭଲ ଏବଂ ସୁସ୍ଥ ଉପାୟରେ ରାନ୍ଧି ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସେହିପରି ଦୈନନ୍ଦିନ ଖାଦ୍ୟରେ ଫଳ, ପନିପରିବା ଏବଂ ଫାଇବର ପରିମାଣ ବୃଦ୍ଧି କରନ୍ତୁ ଏବଂ ପ୍ରକ୍ରିୟାକୃତ ମାଂସ କିମ୍ବା ଡିପ୍ ଫ୍ରାଏଡ୍ ଚିକେନକୁ ଏଡ଼ାନ୍ତୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ।